ପୋଲସରା : ଭୁବନେଶ୍ବରସ୍ଥିତ ଏମ୍ସରେ କ୍ୟାଣ୍ଟିନ୍ ଖୋଲିବା ନଁାରେ ୫୬ ଲକ୍ଷ ଟଙ୍କା ଠକେଇ। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ୨ଟି ମାମଲାର ତଦନ୍ତ କରିବା ବେଳେ ଗଞ୍ଜାମର ପୋଲସରା ପୁଲିସ ଏହି ଅଭିନବ ଠକେଇ ରାକେଟ୍ର ଖିଅ ପାଇବାରେ ସଫଳ ହୋଇଛି। ଏହି ଘଟଣାରେ ପୁଲିସ ମୁଖ୍ୟ କାର୍ପଟ୍ଦାର୍ ଭୁବନେଶ୍ବରର ଶୈଳବାଳା ମିଶ୍ର ନାମକ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ, ନାରାୟଣ ପ୍ରଧାନ, ପୋଲସରା ଥାନା ଚିରିକିପଡ଼ାଶାସନ ଗ୍ରାମର ଯଦୁମଣି ପ୍ରଧାନ ଓ ଭଞ୍ଜନଗରର ଶିବରାମ ଗୌଡ଼।
ସୂଚନାନୁସାରେ, ଅଭିଯୁକ୍ତ ଶୈଳବାଳା ୨୦୨୧ ମସିହାରେ ପୋଲସରା ଥାନା ଚିରିକିପଡ଼ାଶାସନ ଗ୍ରାମର ରଞ୍ଜନ କୁମାର ସାହୁଙ୍କୁ ‘ତୁମ ପାଇଁ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲ୍ରେ ଏକ କ୍ୟାଣ୍ଟିନ୍ କରାଇଦେବି' ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କାମ ହୋଇ ନଥିଲା। ଯାହାକୁ ନେଇ ରଞ୍ଜନ ଓ ଶୈଳବାଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଶୈଳବାଳା ରଞ୍ଜନଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଫେରାଇଥିଲେ। ବାକି ୫୧ ଲକ୍ଷ ଟଙ୍କା ଫେରାଇବା ଲାଗି ଦିନ ଗଡ଼ାଇ ଚାଲିଥିଲେ। ଫଳରେ, ଠକେଇର ଶିକାର ହୋଇଥିବା ଜାଣି ରଞ୍ଜନ ଗତ ୮ ତାରିଖରେ ପୋଲସରା ଥାନାରେ ଏତଲା ଦେଇଥିଲେ। ପୁଲିସ ପ୍ରଥମେ ଶୈଳବାଳାଙ୍କୁ କାବୁ କରି ପଚରାଉଚରା କରି ତଥ୍ୟ ସଂଗ୍ରହ କରିଥିଲା। ତାଙ୍କ ବୟାନ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନାରାୟଣ, ଯଦୁମଣି ଓ ଶିବରାମକୁ ଗିରଫ କରିଥିଲା। ଏହା ଜାଣିବା ପରେ ନୟାଗଡ଼ର ଅର୍ଚ୍ଚନା ସାହୁ ପୋଲସରା ଥାନାରେ ପହଞ୍ଚିଥିଲେ। ଶୈଳବାଳା ତାଙ୍କଠୁ ମଧ୍ୟ ଚାକିରିର ପ୍ରଲୋଭନ ଦେଖାଇ ୬ ଲକ୍ଷ ଟଙ୍କା ଠକି ନେଇଥିଲେ। ତାଙ୍କ ଏତଲା ଆଧାରରେ କେସ୍ ନମ୍ବର ୨୫୬ ଅନୁସାରେ ମାମଲା ରୁଜୁ ହୋଇଥିଲା। ଦୁଇଟିଯାକ ମାମଲାରେ ପୁଲିସ ଆଜି ଶୈଳବାଳା ଓ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।