କାର୍‌ରୁ ୪ ବସ୍ତା ଗଂଜେଇ ଜବତ; ୬ ଗିରଫ

ଅତାବିରା: ବୌଦ୍ଧରୁ ବରଗଡ଼ ଜିଲ୍ଲା ଗୋଡ଼ଭଗା ଅଭିମୁଖେ ଆସୁଥିବା ଏକ କାରରୁ ୪ ବସ୍ତା ଗଂଜେଇ ପୁଲିସ ଜବତ କରିଛି। ଜବତ ଗଂଜେଇର ଓଜନ ୬୬କେଜି ଶହେ ଗ୍ରାମ। ଯାହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ।  ଘଟଣାରେ ୬ଜଣଙ୍କୁ ଗିରଫ କରିବା ସହ ୬ଟି ମୋବାଇଲ, ହଜାରେ ଟଙ୍କା, ଗୋଟିଏ କାର୍‌(ଓଡ଼ି ୧୪ଏ ୯୬୧୧), ବାଇକ( ଓଡି୨୭ ବି ୯୩୬୬) ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖୁଣ୍ଟିଗୁଡ଼ାର ବିନୋଦ ସୁନା(୩୧), ମାଲପଡ଼ାର ସଂଜିତ ତାଣ୍ଡି ଓରଫ ବାସୁ(୨୩), ବରିଗଭାର ଗୋପବନ୍ଧୁ ମହାନନ୍ଦ(୨୩), ଖୁଣ୍ଟିଗୁଡ଼ାର ତ୍ରିଦେବ ମୁନା(୧୯), ତାମ୍ବିସିନାର ରାଜୀବ କାହଁର(୨୦), ଖୁଣ୍ଟିଗୁଡ଼ାର ପଙ୍କଜ ମୁନା(୨୨) ବୋଲି ଅତାବିରା ଥାନାଠ‌ାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଦୀପକ ଗୋଚ୍ଛାୟତ, ଥାନାଧିକାରୀ ଅନିଲ ପ୍ରଧାନ ସୂଚନା ଦେଇଥିଲେ। ଗତକାଲି ଏକ କାରରେ ଗଂଜେଇ ଆସୁଥିବା ଖବର ପାଇ ତାକୁ ଧରିବାକୁ  ଏକ ଟିମ୍‌ ଗଠନ କରାଯାଇଥିଲା।

ଏସ୍‌ଡିପିଓଙ୍କ ତତ୍ବବଧାନରେ ଥାନାଧିକାରୀ, ଏସ୍ଆଇ ଯାଦବ ବାଗ, ଏଏସ୍‌ଆଇ ଏଲ୍‌ ନାଗ, ଏଏସ୍ଆଇ ଏମ୍ ତାଣ୍ଡି ତୟାର ଥିଲେ। କାର୍‌ରେ ୫ ଜଣ ଥିବା ବେଳେ ଆପାଚି ବାଇକଟି ଆଗରେ ଦୃତ ଗତିରେ ଆସୁଥିଲା। ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା-ବିନକା ରାସ୍ତା ଭାଲୁଡ଼ୁଙ୍ଗୁରୀ ରୁଚି ଢ଼ାବା ପାଖରେ ପୁଲିସ୍‌ ସେମାନଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର