୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା : ସୁଜିତ୍‌, ମୁନା, ସୁବାସ କୋଟିପତି

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ୪ ଜଣ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ କୋଟିପତି ପ୍ରାର୍ଥୀ। ନାମାଙ୍କନ ପତ୍ର ଦାଖଲ ବେଳେ ସମ୍ପତ୍ତି ତାଲିକା, ଯୋଗ୍ୟତା ଓ ଅପରାଧିକ ରେକର୍ଡ଼ ସମ୍ପର୍କିତ ଦାଖଲ ହୋଇଥିବା ସତ୍ୟପାଠରୁ ପ୍ରାର୍ଥୀ ସୁଜିତ୍‌ କୁମାର, ମୁଜିବୁଲ୍ଲା (ମୁନା) ଖାଁ ଓ ସୁବାସ ସିଂହ କୋଟିପତି ବୋଲି ଜଣାପଡ଼ିଛି। ଚତୁର୍ଥ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ମମତା ମହନ୍ତ ସମ୍ପତ୍ତି ତାଲିକାରେ ସମସ୍ତଙ୍କ ପଛରେ ଅଛନ୍ତି।

ସତ୍ୟପାଠରୁ ଜଣାପଡ଼ିଛି ଯେ ହାଭାର୍ଡ଼ ବିଶ୍ବବିଦ୍ୟାଳୟରୁ ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ରେ ଉଚ୍ଚତର ଶିକ୍ଷା ଲାଭ କରିଥିବା ସୁଜିତ୍‌ କୁମାର ଓ ତାଙ୍କ ପତ୍ନୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ୩ କୋଟି ୭ ଲକ୍ଷ ୧୬ ହଜାର ୮୧୦ ଟଙ୍କା। ଶ୍ରୀକୁମାର ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଠାରୁ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କାର ଋଣ କରିଥିବା ବେଳେ ୭ଟି କମ୍ପାନିରେ ୫୨ ଲକ୍ଷ ୮ ହଜାର ୫୫୫ ଟଙ୍କାର ପୁଞ୍ଜି ବିନିଯୋଗ କରିଛନ୍ତି। ଷ୍ଟକ୍‌ ମାର୍କେଟ୍‌ରୁ ୬ଟି କମ୍ପାନିର ଅଂଶଧନ କିଣିଛନ୍ତି। ଯେଉଁଥିରେ ୨୧ ଟଙ୍କା ୧ ପଇସା ମୂଲ୍ୟର ୨୦୦୦ଟି ୟେସ୍‌ ବ୍ୟାଙ୍କ ଅଂଶଧନ ସାମିଲ ଅଛି।

ସେହିପରି ମୁନା ଖାଁ ଓ ତାଙ୍କ ପତ୍ନୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୩୩ ଲକ୍ଷ ୫୭ ହଜାର ୬୩୪ ଟଙ୍କା। ସେ ଭୁବନେଶ୍ବର ଏଚ୍‌.ଡି.ଏଫ୍‌.ସି ବ୍ୟାଙ୍କରୁ ୨୦୧୪-୧୫ ଆର୍ଥିକ ବର୍ଷରେ ୧୪ ଲକ୍ଷ ଟଙ୍କା ଋଣ କରିଥିବା ଦର୍ଶାଇଛନ୍ତି। ନଗଦ ହିସାବରେ ତାଙ୍କ ହାତରେ ମାତ୍ର ୩୫ ହଜାର ଟଙ୍କା ଓ ତାଙ୍କ ପତ୍ନୀଙ୍କ ହାତରେ ୪୧ ହଜାର ଟଙ୍କା ଅଛି। ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ମାଟ୍ରିକ୍‌ ପାସ କରିଥିବା ମୁନା ଖାଁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ବିଜେଡିର ଆଗଧାଡିର ନେତା ଭାବେ ଜଣାଶୁଣା ସୁବାସ ସିଂହ ବି ପଛରେ ନାହାନ୍ତି। ଶ୍ରୀ ସିଂହଙ୍କ ସମେତ ତାଙ୍କ ପତ୍ନୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨ କୋଟି ୧୨ ଲକ୍ଷ ୬୩ ହଜାର ୬୩୧ ଟଙ୍କା। ସେ ୧୨ ଲକ୍ଷ ୨୬ ହଜାର ୭୮୦ ଟଙ୍କାର ଋଣ କରିଥିବା ବେଳେ ନଗଦ ଆକାରରେ ତାଙ୍କ ହାତରେ ୨୫ ହଜାର ଓ ପତ୍ନୀଙ୍କ ହାତରେ ୨୦ ହଜାର ଟଙ୍କା ଅଛି। ମୟୂରଭଞ୍ଜରୁ ଆଦିବାସୀ ସମ୍ପ୍ରଦାୟର ନେତ୍ରୀ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ମମତା ମହନ୍ତଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ। ତାଙ୍କ ପତିଙ୍କ ନାମରେ ଥିବା ସ୍ଥାବର ସମ୍ପତ୍ତି ମୂଲ୍ୟ ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କା। ତାଙ୍କ ନାମରେ ୫୬ ହଜାର ୩୮ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ତାଙ୍କ ପତିଙ୍କ ନାମରେ ୮ଲକ୍ଷ ୭୩ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଶ୍ରୀମତୀ ମହନ୍ତ ବାରିପଦାସ୍ଥିତ ମା’ ମହିଳା ମହିବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର