ରେଢ଼ାଖୋଲ : ମହାମାରୀ କରୋନା ଦେଶର ଅର୍ଥନୀତିକୁ ବିଗାଡ଼ି ଦେଇଛି। ଅନେକ ସେମାନଙ୍କ ବୃତ୍ତି ହରାଇ ଦେଇଛନ୍ତି। କରୋନାର କଳା ବାଦଲରୁ ବର୍ତ୍ତି ନାହାନ୍ତି ଦୃଷ୍ଟିହୀନମାନେ। ଦିନ ଥିଲା ଏମାନେ ସେମାନଙ୍କ କଳାର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିବା ସହିତ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଥିଲେ। ମାତ୍ର କରୋନା ସେମାନଙ୍କ ଗତପଥକୁ ଏବେ ଜଟିଳ କରି ଦେଇଛି। ଭିକ୍ଷାବୃତ୍ତି କରିବେ ନାହଁ ବୋଲି ମିଳିମିଶି ଏକ ଭଜନ ପରିବେଷଣ ଦଳ ଗଠନ କରିଥିବା ୪ ଦୃଷ୍ଟିହୀନ ବନ୍ଧୁ ଏବେ ବାଧ୍ୟ ହୋଇ ଭିକ୍ଷାବୃତ୍ତିକୁ ଆଦରି ନେଇଥିବା ଦେଖାଯାଇଛି। ଏହି ୪ ଦୃଷ୍ଟିହୀନ ବନ୍ଧୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମଳିଛି। ଏମାନେ ପରସ୍ପରକୁ ଧରାଧରି ହୋଇ ସହରରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି।
ସୂଚନା ଅନୁଯାୟୀ ଏମାନେ କେହି ଗୋଟିଏ ଜିଲ୍ଲାର ନୁହନ୍ତି। ପରିସ୍ଥିତିରେ ପଡ଼ି ପରସ୍ପରର ବନ୍ଧୁ ପାଲଟି ଯାଇଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଆସିଥିଲେ ମଧ୍ୟ ସେମାନଙ୍କ ପରିସ୍ଥିତି ଆଜି ସେମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି। ଜଣେ ଢେଙ୍କାନାଳ ଜିଲ୍ଲା ଧଳପୁର ଗ୍ରାମର ଅରବିନ୍ଦ ଭୋଇ, ଅନୁଗୁଳ ନାଲକୋ ଅଞ୍ଚଳର ରଂଜିତ ସେଠୀ, ଭଦ୍ରକର ବ୍ରଜ ସେଠୀ ଏବଂ ଟିଟିଲାଗଡ଼ର ଜ୍ୟୋତିରଂଜନ ମହାନନ୍ଦ। ଏମାନେ ସମସ୍ତେ ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ହେଲେ ଜୀବନ ଯାତ୍ରାରେ ଏମାନେ ହାର୍ ମାନି ନଥିଲେ। ଭିକ୍ଷାବୃତ୍ତି ପରି ଘୃଣ୍ୟ ବୃତ୍ତିକୁ ନ ଆପଣାଇ ସେମାନେ ଏକ ଦଳ ଗଠନ କରିଥିଲେ। ସମସ୍ତେ ଜଣେ ଜଣେ କଳାକାର। କିଏ ଗୀତ ଗାଏ ତ କିଏ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଏ। ସମସ୍ତଙ୍କ ପାଖରେ ଥିବା ପ୍ରତିଭାକୁ ପ୍ରଦର୍ଶନ କରି ଗଠନ କରିଥିଲେ ଭଜନ ମଞ୍ଚ। ଦଳରେ ସମସ୍ତେ ଦିବ୍ୟାଙ୍ଗମାନେ ହିଁ ସାମିଲ ଥିଲେ। ବିଭିନ୍ନ ସାମାଜିକ ଏବଂ ସାଂକୃତିକ କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରୁଥିଲେ। ସେମାନଙ୍କ ଦ୍ବାରା ପରିବେଷିତ ଭଜନ ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରୁଥିଲା। ଏହି ଦଳ ରେଢ଼ାଖୋଲ ଅଞ୍ଚଳରେ ବହୁବାର ଭଜନ ପରିବେଷଣ କରିଥିଲେ। ଭଲ ରୋଜଗାର ମଧ୍ୟ କରୁଥିଲେ। ଫଳରେ ସମାଜରେ ଆତ୍ମନିର୍ଭରଶୀଳ ହୋଇ ମୁଣ୍ଡ ଟେକି ବଞ୍ଚିଥିଲେ। ହେଲେ କରୋନା ସବୁକିଛି ବିଗାଡ଼ି ଦେଇଥିଲା।
ମାର୍ଚ୍ଚ ମାସଠାରୁ ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁଁ ସବୁ କାର୍ଯ୍ୟକ୍ରମ ବନ୍ଦ। ଫଳରେ ସେମାନେ ଆଉ କେଉଁଠି ଭଜନ ପରିବେଷଣ କରିପାରୁ ନାହାନ୍ତି। ରୋଜଗାର ବି ଠପ୍ ହୋଇଯାଇଛି। ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ମଧ୍ୟ ଯଥେଷ୍ଟ ହେଉନି। ଶେଷରେ ସେମାନ ଭିକ୍ଷାବୃତ୍ତିକୁ ଆଦରି ନେଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି। ଏହି ୪ ବନ୍ଧୁଙ୍କୁ ନେବାଆଣିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଢେଙ୍କାନାଳ ଧଳପୁର ଗ୍ରାମର ଜଣେ ନାବାଳକ ସର୍ବେଶ୍ୱର ଭୋଇ ସହଯୋଗ କରୁଛନ୍ତି। ଏମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଆଗେଇ ଆସିଥିବା କହିଛନ୍ତି। ଏମାନଙ୍କ ଉପରେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/redhakhol-4-blind-artists-are-begging.jpg)