ସମ୍ବଲପୁର/ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଖିଣ୍ଡା ନିକଟରୁ ପୁଲିସ ଏକ ଗଞ୍ଜେଇ ବୋଝେଇ ଗାଡ଼ିରୁ ୪ଟି ବୋମା ଜବତ କରିଛି।

Advertisment

ସୋମବାର ଭୋର୍ ୩ଟା ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଗାଡ଼ି (ଓଆର୍ -୦୨ ବିଆର୍- ୭୦୭୦)କୁ ଜବତ କରିଥିଲା। ଗାଡ଼ିର ଚକା ଲିକ୍ ହୋଇଯିବାରୁ ସେ ନୂଆ ଚକା ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ୍ ପହଞ୍ଚିଥିଲା। ଗାଡ଼ିରେ ଜ୍ୟାକ୍‌ ମଧ୍ୟ ଲାଗିଥିଲା। ପୁଲିସ ଗାଡ଼ି ଦେଖି ଗାଡ଼ିଚାଳକ ଘଟଣା ସ୍ଥଳରୁ ଖିଣ୍ଡା ଜଙ୍ଗଲ ଆଡ଼େ ଫେରାର ହୋଇଯାଇଥିଲେ। ଗାଡ଼ିକୁ ଯାଂଚ କରିବା ପରେ ସେଥିରୁ ୧୦୯ କେଜି ୪୮୦ ଗ୍ରାମ୍‌ (୨୨ ପ୍ୟାକେଟ୍‌) ଗଞ୍ଜେଇ ସହ ୪ ଟି ବୋମା ମିଳିଥିଲା। ବମ୍ ସ୍କ୍ୱାଡ୍‌ ଘଟଣା ସ୍ଥଳରେ ପହଞ୍ଚିବା ପରେ ରେଙ୍ଗାଲି ତହସିଲଦାର ବେରିସସ ଡୁଙ୍ଗଡୁଙ୍ଗ, ଠେଲ୍‌କୋଲୋଇ ଥାନାଧିକାରୀ ବିଭୁତିଭୂଷଣ ଦଳେଇଙ୍କ ଉପସ୍ଥିତରେ ବମ୍‌ଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।

ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ିରେ ଉତ୍ତରପ୍ରଦେଶ ବିଧାନସଭାର ବିଧାୟକ ଗାଡ଼ି ପାସ୍‌ ସହ ବିଜେପିର ଏକ ପତାକା ଥିଲା। ଯାହାକୁ କି ପୁଲିସ ଜବତ କରିଛି। ପାସ୍‌ରେ ବିଧାୟକ ଲେଖାଥିବା ସହ ପାସ୍‌ର କ୍ରମିକ ସଂଖ୍ୟା-୦୭୬୦ ଉଲ୍ଲେଖ ରହିଛି। ପାସ୍‌ଟି ୨୦୨୩ ବର୍ଷ ପାଇଁ ଜାରି କରାଯାଇଛି। ତେବେ ଏହା ଅସଲି କି ନକଲି ପୁଲିସ ଯାଞ୍ଚ କରୁଛି। ଗାଡ଼ିରେ ୨ଟି ନମ୍ବର ପ୍ଲେଟ୍‌ ମଧ୍ୟ ଥିଲା। ତେବେ ଲାଗିଥିବା ଓଡ଼ିଶା ନମ୍ବରଟି ଫେକ୍‌ ବୋଲି ପୁଲିସ ସ୍ପଷ୍ଟ କରିଥିବା ବେଳେ ଭିତରେ ଥିବା ଉତ୍ତରପ୍ରଦେଶର ନମ୍ବର ପ୍ଲେଟ୍‌ (ୟୁପି-୩୨ଇଏଲ୍‌ -୧୮୯୨) ଠିକ୍‌ ବୋଲି କହିଛି। ଏହାସହିତ ସୁନୀଲ କୁମାର ନାଁରେ ଥିବା ଏକ ଆଧାରକାର୍ଡ, ବରଗଡ଼ ବର୍‌ହାଗୋଡ଼ା ଟୋଲ୍‌ଗେଟ୍‌ ପାସ୍‌, ମଧ୍ୟପ୍ରଦେଶ ଯୋଗିନିହାଇ ଟୋଲ୍‌ପ୍ଲାଜା ଗେଟ୍‌ପାସ୍‌ ଆଦି ପୁଲିସ ଜବତ କରିଛି।