ସୁନା ସଂସାର ଚୂରମାର କରିଦେଲା କରୋନା : ୩ ମାସରେ ଆରପାରିରେ ୪ ଭାଇ

ଆଖି ବୁଜିଲେ ଶେଷ ମୁରବି

ବେଗୁନିଆପଡ଼ା : କରୋନା ଭାଙ୍ଗି ଚୂରମାର କରିଦେଇଛି ସୁନାର ସଂସାର। ୩ ମାସ ମଧ୍ୟରେ ୩ ଭାଇ ଆଖି ବୁଜିଥିବା ବେଳ‌େ ଆଜି ପରିବାରର ଶେଷ ମୁରବି ବି ଆରପାରିକୁ ଚାଲିଯାଇଛନ୍ତି। ଆଉ ଏହାକୁ ମିଶାଇ ୨ ବର୍ଷ ଭିତରେ ଗୋଟିଏ ପରିବାରର ସମସ୍ତ ୫ଭାଇଙ୍କ ମୃତ୍ୟୁ ପରେ ମୁରବିଶୂନ୍ୟ ପାଲଟିଛି ପୂରା ପରିବାର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଙ୍ଗାରଗାଁରେ ଏଭଳି ଦୁଃଖଦ ଘଟଣା ସମଗ୍ର ଗ୍ରାମକୁ ସ୍ତବ୍ଧ କରିଦେଇଛି।

ମିଳିଥିବା ସୂଚନାନୁସାରେ, ଅଙ୍ଗାରଗାଁର ସ୍ବର୍ଗତ ମହନ୍ତ ସାହୁଙ୍କ ପାଞ୍ଚ ପୁଅ ଓ ସମେସ୍ତ ବିବାହିତ। ୨ ବର୍ଷ ତଳେ ପରିବାରର ଦ୍ବିତୀୟ ପୁଅ ଭିକାରିଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇ ଯାଇଥିଲା। ଘରେ ବଡ଼ପୁଅ ଧବଳେଶ୍ବର (୬୦), ତୃତୀୟ ପୁଅ ବାସୁଦେବ (୫୦), ଚତୁର୍ଥ ପୁଅ ମଙ୍ଗରାଜ (୪୮) ଓ ସବା ସାନ ପୁଅ କୃଷ୍ଣଚନ୍ଦ୍ର (୪୨)ଯୌଥ ପରିବାରରେ ରହୁଥିଲେ। ହସଖୁସିରେ ସଂସାର ଚାଲିଥିଲା। କୃଷ୍ଣ ଏବଂ ଧବଳେଶ୍ବର ତେଜରାତି ଦୋକାନ କରିଥିବା ବେଳେ ମଙ୍ଗରାଜ ଔଷଧ ଦୋକାନ ଚଳାଉଥିଲେ। ବାସୁଦେବଙ୍କ ଦୁଇଟି ବସ୍ ଓ ଗୋଟିଏ ଟ୍ରାକ୍ଟର୍ ଥିଲା। ହେଲେ ହଠାତ୍ କରୋନା ମହାମାରୀର ନଜର ଏହି ସୁଖୀ ପରିବାର ଉପରେ ପଡ଼ିଯାଇଥିଲା। ଗଞ୍ଜାମ ଜିଲ୍ଲା ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ଜୁଲାଇ ଏହି ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ପ୍ରଥମେ ସାନପୁଅ କୃଷ୍ଣଚନ୍ଦ୍ର କରୋନାରେ ଆକ୍ରାନ୍ତ ହେଲେ। ଗତ ଜୁଲାଇ ୧୪ରେ ତାଙ୍କୁ ଭୁବନେଶ୍ବର ନିଆ ଯାଉଥିବା ସମୟରେ ରାସ୍ତାରେ ପ୍ରାଣବାୟୁ ଉଡ଼ି ଯାଇଥିଲା। କୃଷ୍ଣଚନ୍ଦ୍ରଙ୍କ ଚିତା ଶୀତଳ ନ ହେଉଣୁ ସେହି ମାସ ୧୬ ତାରିଖରେ ଚତୁର୍ଥ ଭାଇ ମଙ୍ଗରାଜ ମଧ୍ୟ ଏହି ମହାମାରୀରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ। ଏହାର ପୁଣି ଦୁଇ ଦିନ ପରେ ଅର୍ଥାତ୍ ୧୮ ତାରିଖରେ ତୃତୀୟ ଭାଇ ବାସୁଦେବ ସାହୁ (୪୮) ମଧ୍ୟ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଆଜି ବୁଜିଥିଲେ। ତାଙ୍କୁ ଲକ୍ଷଣ ଥିବା ସନ୍ଦେହରେ ସେଠାରେ ଭର୍ତ୍ତି କରା ଯାଇଥିଲା। ହେଲେ ରିପୋର୍ଟ ଏଯାଏ ହସ୍ତଗତ ହୋଇ ନଥିବା ରାହାଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଡା.ମନୋଜ କୁମାର ସାହୁ କହିଛନ୍ତି। ୬ ଦିନ ଅନ୍ତରରେ ତିନି ଭାଇଙ୍କ ମୃତ୍ୟୁ ଯୋଗୁଁ ପୂରା ପରିବାର ଭାଙ୍ଗି ପଡ଼ିଥିଲା।

ତିନି ଭାଇଙ୍କ ଅକାଳ ମୃତ୍ୟୁ ପରେ ପରିବାରର ବଡ଼ ପୁଅ ଧବଳେଶ୍ବର ଶେଷ ମୁରବି ଭାବେ ସମସ୍ତଙ୍କ କଥା ବୁଝି ଆସୁଥିଲେ। ଧୈର୍ଯ୍ୟ ନ ହରାଇ ଏତେବଡ଼ ଧକ୍କାକୁ ସମ୍ଭାଳି ଥିଲେ। ହେଲେ ଏହା ବି ଦଇବକୁ ଯେମିତି ମଞ୍ଜୁର ନଥିଲା। ଗତ ୨୭ ତାରିଖରେ ହଠାତ୍ ଧବଳେଶ୍ବର ଗୁରୁତର ଭାବେ ଅସୁସ୍ଥ ହେବା ପରେ ତାଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ତଥାପି ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କୋଭିଡ୍ ୱାର୍ଡ଼ରେ ଭର୍ତ୍ତି କରା ଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ରିପୋର୍ଟ ଯଦି ନେଗେଟିଭ୍ ଥିଲା ତାହେଲେ ବାପାଙ୍କୁ କାହିଁକି କୋଭିଡ୍ ୱା‌ର୍ଡ଼ରେ ଚିକିତ୍ସା କରା ଯାଉଥିଲା ବୋଲି ‌ପୁଅ ରଙ୍ଗନାଥ ପ୍ରଶ୍ନ କରିଛନ୍ତି। ଗୋଟିଏ ପରିବାରର ସମସ୍ତ ୫ ଭାଇଙ୍କ ମୃତ୍ୟୁ ସେମାନଙ୍କ ସନ୍ତାନସନ୍ତତିଙ୍କୁ ଦୁଃଖ ସାଗର ଭିତରକୁ ଠେଲି ଦେଇଛି। ଭଗବାନ ‌କାହିଁକି ଏତେ ନିଷ୍ଠୁର ହେଲେ ବୋଲି ସଭିଙ୍କ ମୁହଁରୁ ଏହି କଥା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର