କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲିପଦର ଗ୍ରାମରେ ଗତ ୧୦ ବର୍ଷ ହେବ ଅନେକ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ୪ରୁ ୫ଜଣଙ୍କ ଜୀବନ ଚାଲି ଯାଉଛି। ଗତ ୪ ବର୍ଷରେ ଗ୍ରାମର ୪ ଭାଇଙ୍କ ମୃତ୍ୟୁ ହେବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ଗ୍ରାମର ଜଣେ ସମାଜସେବୀ ଭାବରେ ପରିଚିତ ପୂର୍ବତନ ୱାର୍ଡ ସଭ୍ୟ ସୂର୍ଯ୍ୟା ମହଲାଙ୍କ କିଡ୍ନି ରୋଗରେ ମୃତ୍ୟୁ ଘଟିଛି। ପୂର୍ବରୁ ତାଙ୍କ ଭାଇ ହରିବୋଲ ମହଲା, ନରେନ୍ଦ୍ର ମହଲା ଓ ମାଧିଆ ମହଲାଙ୍କ କିଡ୍ନି ରୋଗରେ ମୃତ୍ୟୁ ହୋଇଥିଲା।
ଆଜି ମଝିଆ ଭାଇ ସୂର୍ଯ୍ୟା ମହଲାଙ୍କ ମୃତ୍ୟୁ ପରେ ସମସ୍ତ ୪ ପରିବାର ମୁରବି ଶୂନ୍ୟ ହୋଇଛି। କିଡ୍ନି ରୋଗର ପ୍ରାଦୁର୍ଭାବ ସମ୍ପର୍କରରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ମନମୁଣ୍ଡା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମକୁ ଆସି କେବଳ ତଦନ୍ତ କରି ନିଜର କର୍ତ୍ତବ୍ୟ ସାରି ଦେଉଛି। ଏହି ରୋଗ ବ୍ୟାପିବାରର ପ୍ରକୃତ କାରଣ ଖୋଜି ବାହାର କରାଯାଉ ନାହିଁ କି ନିରାକରଣ ପାଇଁ କୌଣସି ପଦଷେପ ନିଆଯାଉ ନାହିଁ। ଅନେକ ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଥରେ ଦୁଇ ଥର ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଆଉ ଔଷଧ ମିଳି ନ ଥିବା ରୋଗୀ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)