ଗଞ୍ଜାମର ୪ ବସ୍ ଟର୍ମିନାଲ୍, ୩୦ କୋଟି ଖର୍ଚ୍ଚ ବେକାର

ବ୍ରହ୍ମପୁର :ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଯାତ୍ରୀ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ବ୍ଲକ୍‌, ଉପଖଣ୍ଡ ଓ ଜିଲ୍ଲା ସଦରମହକୁମାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାରେ ଅର୍ଥ ଅପଚୟ କରି ସୁଦ୍ଧା ପରିବହନ ଭିତ୍ତିଭୂମି କ୍ଷେତ୍ରରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲାର ୪ଟି ନୂଆ ବସ୍‌ ଟର୍ମିନସ ଉଦ୍‌ଘାଟନ ପର ଠାରୁ ବ୍ୟବହାର ନ ହୋଇ ଖତ ଖାଉଛି। ଜିଲ୍ଲାର ଅନ୍ୟ ୪ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଜମି ସମସ୍ୟା ଯୋଗୁଁ ପଦକ୍ଷେପ ନିଆଯାଇ ପାରୁନାହିଁ। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାୟ ୨୫କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁରର ହଳଦିଆପଦର, ଛତ୍ରପୁର ଓ ଗୋପଳପୁର ଠାରେ ନିର୍ମାଣ ହୋଇଥିବା ବସ୍‌ ଟର୍ମିନାଲ ଉଦ୍‌ଘାଟନର ୪ ବର୍ଷ ପରେ ବି ଏଯାଏ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସେହିପରି ୫.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଞ୍ଜନଗର ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ହୋଇ ୨ ବର୍ଷ ବିତିବାକୁ ବସିଥିଲେ ହେଁ ଏଯାଏ କାମରେ ଲାଗୁନି। ଦୀର୍ଘ ବର୍ଷ ହେଲା ଅବ୍ୟବହୃତ ହୋଇ ପଡ଼ି ରହିବା ଫଳରେ ଆସବାବପତ୍ର ଓ କୋଠା ଆଦି ଭିତ୍ତିଭୂମି କଳଙ୍କି ଲାଗି ନଷ୍ଟ ହେବା ଅବସ୍ଥାକୁ ଆସିଲାଣି। ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ୪ ବସ୍‌ଷ୍ଟାଣ୍ଡ ଏବେ ଭୂତକୋଠି ଭଳି ପଡ଼ିଛି। ଅନ୍ୟପକ୍ଷରେ ଜମିଜମା ଓ ବିଭିନ୍ନ ସମସ୍ୟା କାରଣରୁ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଜଗନ୍ନାଥପ୍ରସାଦ ଓ ଶେରଗଡ଼ ବସଷ୍ଟାଣ୍ଡ ନିର୍ମାଣ ହୋଇପାରୁ ନାହିଁ।

ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆ ବସ୍‌ଷ୍ଟାଣ୍ଡ(ସିଟି ବସ୍‌ଷ୍ଟାଣ୍ଡ)ରେ ବସ୍‌ ରହଣି ନିମନ୍ତେ ପର୍ଯ୍ୟାପ୍ତ ‌ସ୍ଥାନ ନ ଥିବାରୁ ସହର ଉପକଣ୍ଠ ହଳଦିଆପଦର ଠାରେ ୩.୦୯ ଏକର ଜମି ଚିହ୍ନଟ ହୋଇଥିଲା। ବିଜୟୱାଡ଼ା ବସ୍‌ ଟର୍ମିନାଲ୍ ଢାଞ୍ଚା‌ରେ ୧୩.୨କୋଟି ଟଙ୍କା ବ୍ୟୟରେ ଉକ୍ତ ବସ୍‌ ଟର୍ମିନାଲ୍ ନିର୍ମାଣ ଲାଗି ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨୦୧୬ରେ ବସ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୧୨କୋଟି ୮୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ବସ୍‌ ଟର୍ମିନସ୍‌କୁ ୨୦୧୬ ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ବସ୍‌ଷ୍ଟାଣ୍ଡରେ ୩୫୦ଟି ବସ୍‌ ରହିବା ବ୍ୟବସ୍ଥା ହୋଇଛି। ଏହା ସହିତ ଏଟିଏମ୍‌, ‌ଶୌଚାଳୟ ଓ ଯାତ୍ରୀ ପ୍ରତୀକ୍ଷାଗୃହ ଆଦି ସମସ୍ତ ବ୍ୟବସ୍ଥା ରହିଛି। ବ୍ରହ୍ମପୁର ବସ୍‌ଷ୍ଟାଣ୍ଡକୁ ହଳଦିଆପଦର ବସ୍ ଟର୍ମିନସ୍‌କୁ ସ୍ଥାନାନ୍ତର ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ ସଫଳ ହୋଇପାରୁନି। ବସ୍‌ ଟର୍ମିନାଲ୍ ସହର ଠାରୁ ଦୂରରେ ରହିଥିବାରୁ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ବସ୍‌ ମାଲିକ ସଂଘର ବିରୋଧ ଯୋଗୁଁ ଉଦ୍‌ଘାଟନର ୪ ବର୍ଷ ପରେ ବି ଏହି ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।

ଛତ୍ରପୁର, ଗୋପଳପୁର ଓ ଭଞ୍ଜନଗର ବସ୍‌ଷ୍ଟାଣ୍ଡର ସ୍ଥିତି ମଧ୍ୟ ଅନୁରୂପ। ବିଡିଏ ପକ୍ଷରୁ ୨୦୧୩ରେ ଗୋପାଳପୁର ଠାରେ ୭ କୋଟି ଟଙ୍କା ବ୍ୟୟରେ ୧୯,୭୦୦ ବର୍ଗଫୁଟ ସ୍ଥାନରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି। ଏଠାରେ ୨୩ଟି ବସ୍ ରହିବା ବ୍ୟବସ୍ଥା ହୋଇଛି। ୨୦୧୬ରୁ ଲୋକର୍ପିତ ହୋଇ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଜିଲ୍ଲାର ସଦରମହକୁମା ଛତ୍ରପୁର ଜାତୀୟ ରାଜପଥ-୧୬ ପାର୍ଶ୍ବରେ ବିଡିଏ ପକ୍ଷରୁ ପ୍ରାୟ ୩ ଏକର ପରିମିତ ଜମିରେ ପ୍ରାୟ ୬.୫କୋଟି ଟଙ୍କା ବ୍ୟୟରେ ୨୩ଟି ବସ୍‌ ରହିଲା ଭଳି ସୁବିଧା ଥିବା ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲା। ୨୦୧୬ ନଭେମ୍ବର ୧୯ରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପର ଠାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।

ସେହିପରି ଜିଲ୍ଲାର ପ୍ରମୁଖ ସହର ଭଞ୍ଜନଗର ଠାରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ୨୦୧୬ ମସିହାରେ ଶିଳାନ୍ୟାସ ହୋଇଥିଲା। ୨.୫ ଏକର ପରିମିତ ଜମିରେ ୫.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ୨୦୧୯ ଫେବ୍ରୁଆରିରେ ଉଦ୍‌ଘାଟନ କରିଥିଲେ। ୨ବର୍ଷ ବିତିଲା, ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବସ୍‌ଷ୍ଟାଣ୍ଡ ଏବେ ପରିବା ହାଟ ପାଲଟିଛି।

ଅନ୍ୟପକ୍ଷରେ ବସ୍‌ଷ୍ଟାଣ୍ଡ ନ ଥିବା ବ୍ଲକ ସଦରମହକୁମା, ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୨୦୧୭ ମସିହାରେ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ବ୍ଲକ ସଦର ମହକୁମା ବସ୍‌ଷ୍ଟାଣ୍ଡ ଲାଗି ୧ ଏକର, ଉପଖଣ୍ଡ ବସ୍‌ଷ୍ଟାଣ୍ଡ ଲାଗି ୧ଏକରରୁ ୧.୫ଏକର ଏବଂ ଜିଲ୍ଲା ସଦରମହକୁମା ଲାଗି ୩ଏକର ଜମି ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୧୮ ଅଗଷ୍ଟ ୧୪ତାରିଖରେ ଜିଲ୍ଲାପାଳମାନଙ୍କୁ ଚିଠି ‌ଲେଖାଯାଇଥିଲା। ଖଲ୍ଲିକୋଟ, କବିସୂର୍ଯ୍ୟନଗର ଓ ଜଗନ୍ନାଥପ୍ରସାଦ ଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଯୋଜନା ରହିଛି। କିନ୍ତୁ ଜମି ଚିହ୍ନଟ ହୋଇପାରୁ ନ ଥିବାରୁ କାମ ଆଗେଇ ପାରୁନାହିଁ। ଯେଉଁଠି ଜମି ଚିହ୍ନଟ ହୋଇଛି, ପରିବହନ ବିଭାଗ ନାମରେ ତାହା ହୋଇ ନ ଥିବାରୁ କାମ ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷରେ ଗତ ୧୨ତାରିଖରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି। ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ଲାଗି ୨.୫ ଏକର ଏବଂ ଜିଲ୍ଲାସ୍ତରୀୟ ବସଷ୍ଟାଣ୍ଡ ୫ଏକର ପରିମିତ ଜମି ଦରକାର। ସରକାର ପ୍ରତି ବସ୍‌ଷ୍ଟାଣ୍ଡ ଲାଗି ଅନ୍ୟୁନ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ଅଟକଳ ପ୍ରସ୍ତୁତ ରହିଛନ୍ତି। ଏସଂକ୍ରାନ୍ତରେ ତୁରନ୍ତ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରହିଛି ଶେରଗଡ଼। ଶେରଗଡ଼ ଠାରେ ୨କୋଟି ଟଙ୍କା ବ୍ୟୟରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଏହାର ଦୀର୍ଘ ବର୍ଷ ପରେ ଅର୍ଥାତ ୨୦୨୦ ଫେବ୍ରୁଆରିରେ ବସ୍‌ଷ୍ଟାଣ୍ଡ ଲାଗି ୨ଏକର ଜମି ଚିହ୍ନଟ ହୋଇଛି। ଜମି ଚିହ୍ନଟ ହେବାର ବର୍ଷେ ବିତଥିଲେ ହେଁ ଏଯାବତ୍‌ କାମ ଆରମ୍ଭ ହୋଇପାରିନି।

ସମ୍ବନ୍ଧିତ ଖବର