ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୪ ରାଜ୍ୟସଭା ପ୍ରାର୍ଥୀ, ମିଳିଲା ସାର୍ଟିଫିକେଟ

ଭୁବନେଶ୍ୱର: ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜୁ ଜନତା ଦଳର ୪ ରାଜ୍ୟସଭା ପ୍ରାର୍ଥୀ ।  ମୁନ୍ନା ଖାଁ, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ସିଂ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ରିଟର୍ଣ୍ଣିଂ ଅଫିସର ୪ ଜଣଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି। ଓଡିଶା ବିଧାନସଭା ସଚିବ ତଥା ରିଟର୍ଣ୍ଣିଙ୍ଗ ଅଫିସର ଦାଶରଥି ଶତପଥୀ, ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖରେ ଏହା ଘୋଷଣା କରିଛନ୍ତି। ସେହିପରି ଚାରିଜଣ ସ୍ୱାଧୀନ ପ୍ରାର୍ଥୀ – ଗଣେଶ୍ବର ମିଶ୍ର, ମମତା ସାମନ୍ତରାୟ, ଏଲ୍ ପି ସିଂ ଏବଂ ବି ହେମ୍ବ୍ରମଙ୍କ ନାମାଙ୍କନପତ୍ରକୁ ବୈଧ କରିବା ପାଇଁ ୧୦ ଜଣ ପ୍ରସ୍ତାବକଙ୍କ ଅଭାବ ରହିଥିଲା।

ବିଶେଷ କରି ଏଥର ମତଦାନ ଆବଶ୍ୟକ ପଡିନାହିଁ। କାରଣ, ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇ ନ ଥିଲେ | ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ |

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ସଂଖ୍ୟା ନଥିବାରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିଲା | ଯେଉଁଥିପାଇଁ ମତଦାନ ହୋଇନାହିଁ ଓ ସମସ୍ତ ଚାରିଜଣ ପ୍ରାର୍ଥୀ ସଂସଦକୁ ଅନାୟାସରେ ଯାଇଛନ୍ତି ।

ସମ୍ବନ୍ଧିତ ଖବର