କୋଭିଡ ନ ଥାଇ ବ୍ଲାକ୍ ଫଙ୍ଗସ୍‌ରେ ୪୯ ଆକ୍ରାନ୍ତ: ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଆକ୍ରାନ୍ତ

ରାଜ୍ୟରେ ୪୬-୬୦ବର୍ଗରେ ସର୍ବାଧିକ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକରମାଇକୋସିସ୍‌କୁ ନେଇ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତହିଁରୁ ୪୯ ଜଣ କରୋନାରେ ସଂକ୍ରମିତ ନ ହୋଇ ମଧ୍ୟ ବ୍ଲାକ୍‌ ପଙ୍ଗସ୍‌ର ଶିକାର ହୋଇଛନ୍ତି। ଏହି ସଂଖ୍ୟା ମୋଟ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତ ସଂଖ୍ୟାର ୨୪ ପ୍ରତିଶତ। ପୂର୍ବରୁ ବିଶେଷଜ୍ଞମାନେ କରୋନା ସଂକ୍ରମଣକୁ ବ୍ଲାକ୍ ଫଙ୍ଗସ୍‌ ସହିତ ସିଧାସଳଖ ସଂପର୍କ ରହିଥିବା ଦାବି କରି ଆସୁଥିଲେ। ହେଲେ ଓଡ଼ିଶାରେ କୋଭିଡ୍‌ ନଥାଇ ମଧ୍ୟ ଅନେକ ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ଦେଖା ଦେଇଛି। ଇତିମଧ୍ୟରେ ରାଜ୍ୟରେ ଯଦିଓ ବ୍ଲାକ୍‌ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି; ଏବେ ବି କୋଭିଡ ହସ୍ପିଟାଲରେ ଶତାଧିକ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ଆଗକୁ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି।

ରାଜ୍ୟ ତଥା ଦେଶରେ କରୋନାର ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୧୧ତାରିଖରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ହୋଇଥିଲେ। ହେଲେ ପରବର୍ତୀ ସମୟରେ ରାଜ୍ୟର ସରକାରୀ ସମେତ ଘରୋଇ ହସ୍ପିଟାଲରେ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୦୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୧୩ଜଣ ଏବେ ବି ଚିକିତ୍ସାଧୀନ ରହିଥିବା ବେଳେ ୫୯ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ୨୮ଜଣଙ୍କ ବ୍ଲାକ୍‌ ଫଙ୍ଗସ୍‌ରେ ମୃତ୍ୟୁ ହୋଇଯାଇଛି। ୪ଜଣ ମେଡିକାଲ ପରାମର୍ଶ ବିରୋଧରେ ଯାଇ ଡିସଚାର୍ଜ ହୋଇଛନ୍ତି।

ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସରକାର ଏହାକୁ ଏକ ନୋଟିଫାଏବୁଲ ରୋଗ ଭାବେ ଘୋଷଣା କରିଥିଲେ। ଯାହାଫଳରେ ହସ୍ପିଟାଲରେ ଏଭଳି ରୋଗୀ ଚିହ୍ନଟ ହେଲେ ତାଙ୍କ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏମ୍‌ସ ଭୁବନେଶ୍ବରରେ ସର୍ବାଧିକ ୯୪ଜଣ, ଏସ୍‌ସିବି ମେଡିକାଲରେ ୩୧, ଭିମସାର ବୁର୍ଲାରେ ୨୩, ଏମ୍‌କେସିଜିରେ ୧୨ ଓ ଅନ୍ୟ ସ୍ବାସ୍ଥ୍ୟାନୁଷ୍ଠାନରେ ୪୪ଜଣ ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ମହିଳାଙ୍କ ତୁଳନାରେ ଅଧିକ ସଂଖ୍ୟାରେ ପୁରୁଷ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୧୫୮ଜଣ ପୁରୁଷ ଓ ୪୬ଜଣ ମହିଳା ରହିଛନ୍ତି।

ସେହିପରି ବୟସାନୁପାତରେ ଦେଖିଲେ ୪୬-୬୦ବର୍ଗରେ ୯୧ଜଣ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ୬୦ବର୍ଷରୁ ଅଧିକ ୩୩ଜଣଙ୍କୁ ଚିହ୍ନଟ କରାଯାଇଛି। ୦-୧୮ବର୍ଷ ବୟସର କୌଣସି ରୋଗୀ ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ଏହାସହ ୧୯-୪୫ବର୍ଗରେ ୮୦ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି; କରୋନାରେ ସଂକ୍ରମିତ ହୋଇ ଦୀର୍ଘଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ବ୍ଲାକ୍‌ ଫଙ୍ଗସ୍ ପ୍ରତି ସମ୍ବେଦନଶୀଳ ବୋଲି କୁହାଯାଇଥିଲା। ହେଲେ ରାଜ୍ୟରେ କରୋନା ଇତିହାସ ରହିଥିବା ୧୫୫ଜଣ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ୪୯ଜଣଙ୍କ କରୋନାରେ ସଂକ୍ରମିତ ହେବା ନେଇ ସୂଚନା ନ ଥିବା ଜଣାପଡ଼ିଛି।
ସମ୍ ହସ୍ପିଟାଲର ଡାକ୍ତର ରାଧାମାଧବ ସାହୁ କହିଛନ୍ତି, ରାଜସ୍ଥାନ ସରକାର ପ୍ରଥମେ ଏଭଳି ଲୋକଙ୍କୁ ଚିହ୍ନଟ କରିଥିଲେ। ଯେଉଁମାନଙ୍କର କୋଭିଡ ହିଷ୍ଟ୍ରି ନ ଥାଇ ମଧ୍ୟ ସେମାନେ କରୋନାରେ ସଂକ୍ରମିତ ହୋଇଥିବା ସ୍ଥାନୀୟ ସରକାର ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ‌ଯେହେତୁ ସବୁ ଲୋକଙ୍କ କୋଭିଡ ପରୀକ୍ଷା ସମ୍ଭବ ହୋଇପାରୁ ନାହିଁ, ତେଣୁ ବ୍ଲାକ୍‌ ପଙ୍ଗସ୍‌ର ଶିକାର ହୋଇଥିବା ଲୋକମ‌ାନେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବେ।

ନଚେତ୍ ମ୍ୟୁକରମାଇକୋସିସ୍ ପୂର୍ବରୁ ପରିବେଶରେ ରହିଥିବାରୁ ଅନ୍ୟ ସାଧାରଣ ଲୋକ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତେ। ତେଣୁ କରୋନାରେ ଆକ୍ରାନ୍ତ ନ ହୋଇ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେବା ଯୁକ୍ତି ବିଶ୍ବାସଯୋଗ୍ୟ ନୁହେଁ। ୪୫-୬୦ବର୍ଗର ଲୋକ ଅଧିକ ସଂଖ୍ୟାରେ ବ୍ଲାକ୍ ଫଙ୍ଗସ୍‌ର ଶିକାର ହେବା ପଛରେ ମୂଳ କାରଣ ହେଉଛି ମଧୁମେହ। ଏହି ବର୍ଗରେ ଦେଶବ୍ୟାପୀ ଅଧିକ ସଂଖ୍ୟାରେ ମଧୁମେହ ରୋଗୀ ରହିଥିବା କାରଣରୁ ଏଭଳି ଲୋକ ଆକ୍ରାନ୍ତ ହେବା ସ୍ବାଭାବିକ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମି ଆସିଲାଣି। ପୂର୍ବରୁ ମଧ୍ୟ ରାଜ୍ୟରେ କିଛି କିଛି ଏଭଳି ରୋଗୀ ଚିହ୍ନଟ ହେଉଥିଲେ। ହେଲେ କୋଭିଡ ପରେ ଏହି ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ି ଯାଇଛି ‌ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର