ବାଲେଶ୍ବର ପର୍ଯ୍ୟଟନ କରିଡର୍‌ରେ ୪ ପ୍ରମୁଖ ସଚିବ: ଜୁନ୍‌ ସୁଦ୍ଧା ସରିବ ବେଳାଭୂମିର ସୌନ୍ଦର୍ଯ୍ୟୀକରଣ କାମ

ଶଙ୍ଖାରୀଠାରେ ମନ୍ମଥ-ମନୋଜ ସ୍ମାରକୀ ପ୍ରକଳ୍ପର ସମୀକ୍ଷା

ଭୋଗରାଇ/ଚନ୍ଦନେଶ୍ୱର : ରାଜ୍ୟର ୪ ଜଣ ପ୍ରମୁଖ ସଚିବ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଗୁରୁବାର ପୂର୍ବାହ୍ନରେ ଏକ ହେଲିକେପ୍ଟର ଯୋଗେ ହୁଗୁଳି ପଞ୍ଚାୟତର ବିନ୍ଧାପଦ୍ମପୁରଠାରେ ପହଞ୍ଚିଥିଲେ ସ୍ବତନ୍ତ୍ର ରିଲିଫ କମିସନର୍‌ (ଏସ୍‌ଆରସି) ପ୍ରଦୀପ ଜେନା, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗ ସଚିବ ସୁରେନ୍ଦ୍ର କୁମାର, ପୂର୍ତ୍ତ ବିଭାଗ ସଚିବ ଭି.ଭି.ଯାଦବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରମାକାନ୍ତ ଯାଦବ ଓ ଓଟିଡିସିର ଜିଏମ୍ ଲଗ୍ନଜିତ ରାଉତ। ସଚିବମାନେ ସେଠାରୁ ସିଧା ଶଙ୍ଖାରୀ ଯାଇ ମନ୍ମଥ-ମନୋଜ ସ୍ମାରକୀ ପ୍ରକଳ୍ପର ସମୀକ୍ଷା କରିବା ସହ ଭୋଗରାଇ କୋଷ୍ଟ କେନାଲ୍‌ ଅନ୍ତର୍ଗତ ସ୍ଲୁଇସ୍‌ ଗେଟ୍‌ ପରିଦର୍ଶନ କରିଥିଲେ। ସେଠାରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଓ ଜଳ ନିଷ୍କାସନ ପ୍ରକଳ୍ପ ବାବଦରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ୪ ସଚିବ। ପରେ ପର୍ଯ୍ୟଟନ କରିଡର୍‌ ଉଦୟପୁର-ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟୀକରଣ ଓ ପଥରବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟର ଅନୁଧ୍ୟାନ କରିବା ପରେ ପାନ୍ଥନିବାସ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇ କହିଥିଲେ, ଉଦୟପୁର-ତାଳସାରୀ ବେଳାଭୂମି ରାସ୍ତାକାର୍ଯ୍ୟ ଆସନ୍ତା ଜୁନ୍‌ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସେହିପରି ଆଗାମୀ ୬ ମାସ ମଧ୍ୟରେ ଶଙ୍ଖାରୀଠାରେ ମନ୍ମଥ-ମନୋଜ ସ୍ମାରକୀ ଏୗତିହ୍ୟ ପ୍ରକଳ୍ପ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୩୮ କୋଟି ଟଙ୍କା ବ୍ୟୟରେ ଭୋଗରାଇର ୩୨ଟି ଗ୍ରାମ ପଞ୍ଚାୟତରୁ ଉଦ୍‌ବୃତ୍ତ ବନ୍ୟାଜଳ ମାଟିକେଞ୍ଚା ମୁହାଣ ଦେଇ ସମୁଦ୍ରକୁ ନିଷ୍କାସିତ ହେବ। ବେଳାଭୂମିର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରୁଥିବା ଏନ୍‌ବିସିସିର ଟେଣ୍ଡରକୁ ବାତିଲ୍ କରାଯାଇ ସେହି କାର୍ଯ୍ୟକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଥିଲେ‌।

ମନ୍ମଥ-ମନୋଜ ସ୍ମାରକୀ ପାଇଁ ‘ଇନ୍‌ଟାକ୍‌’ ପକ୍ଷରୁ ଗୃହ ଓ ପୁରୁଣା ମନ୍ଦିର କାର୍ଯ୍ୟ ସହିତ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଦୁଇ ମହଲା ଗୃହ, ପାର୍କିଂ, ଭିତର ସୌନ୍ଦର୍ଯ୍ୟୀକରଣ ସହ ଧ୍ୟାନ ମଣ୍ଡପ ଆଦି ନିର୍ମାଣ କରାଯିବ। ଏଥିପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅବଶିଷ୍ଟ ୩ କୋଟି ଖୁବ୍‌ଶୀଘ୍ର ଦିଆଯିବ ବୋଲି ପୂର୍ତ୍ତ ବିଭାଗ ସଚିବ ଭି.ଭି.ଯାଦବ କହିଥିଲେ। ସଚିବମାନଙ୍କ ଗସ୍ତ ଅବସରରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ଉପଜିଲ୍ଲାପାଳ ଚୌହାନ କୁନାଲ୍‌ ମୋତିରାମ, ଡିଏଫ୍‌ଓ ସନ୍ତୋଷ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର