ପାଉଁରୁଟି କାରଖାନାରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ପୁରୁଣା ଭୁବନେଶ୍ୱର : ରାଜଧାନୀସ୍ଥିତ ଏକ ପାଉଁରୁଟି କାରଖାନାରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏୟାର୍‌ପୋର୍ଟ ଥାନା ଅଧୀନ ପଳାସପଲ୍ଲୀ ଅଞ୍ଚଳରୁ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌ ଏହି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଏକ ସେଲ୍‌ଟର ହୋମ୍‌ରେ ରଖାଯାଇ କାଉନ୍‌ସେଲିଂ କରାଯାଉଛି ଓ ପାଉଁରୁଟି କାରଖାନା ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନରେଟ୍‌ ପୁଲିସକୁ ସୁପାରିଶ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ପଳାସପଲ୍ଲୀରେ ‌ଗଞ୍ଜାମ ଅଞ୍ଚଳର ମନୋଜ ଗୌଡ଼ଙ୍କ ଏକ ପାଉଁରୁଟି କାରଖାନା ରହିଛି। ଲକ୍‌ଡାଉନ୍‌ ପରଠାରୁ ସେ ତାଙ୍କ ଗାଁରୁ ୪ଜଣ ଶିଶୁଙ୍କୁ ଆଣି ଶ୍ରମିକ ଭାବେ ଖଟାଉଥିଲେ। ଶିଶୁମାନଙ୍କ ବୟସ ୧୪/୧୫ ବର୍ଷ ହେବ ବୋଲି ଆକଳନ କରାଯାଇଛି। ମନୋଜ ସେମାନଙ୍କୁ ମାସିକ ୪ ହଜାର ଟଙ୍କା ଦେଇ ଖଟାଉଥିଲା। ଖବର ପାଇ ଚାଇଲ୍‌ ଲାଇନ୍‌ ପକ୍ଷରୁ ଏୟାର ପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନଙ୍କ ସହଯୋଗରେ ସେଠାରେ ଚଢ଼ଉ କରାଯାଇଥିଲା। ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ପ୍ରତିମା ଶତପଥୀ, ଘନଶ୍ୟାମ ଭୋଇ ଓ ଅନିଲ ମହାରଣା ଚଢ଼ଉ ବେଳେ ଉପସ୍ଥିତ ଥିଲେ ଓ ଉଦ୍ଧାର ଶିଶୁମାନଙ୍କୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲେ। ଶିଶୁ କଲ୍ୟାଣ ସମିତିର ନିର୍ଦେଶ ପରେ ସେମାନଙ୍କୁ ସେଲ୍‌ଟର୍‌ ହୋମ୍‌ରେ ଛଡ଼ାଯାଇଛି। ଚାଇଲ୍‌ଡ ଲାଇନ୍‌ର ନିର୍ଦେଶକ ବେଣୁଧର ସେନାପତିଙ୍କ କହିବା ଅନୁଯାୟୀ ଲକ୍‌ଡାଉନ୍ ଖୋଲିବା ପରେ ଗରିବ ପରିବାରରୁ ପିଲାମାନଙ୍କୁ ଶ୍ରମ ଉଦ୍ଦେଶ୍ୟରେ ଚାଲାଣ କରାଯାଉଛି। ବହୁ ପରିବାରର ରୋଜଗାର ହ୍ରାସ ପାଇଥିବାରୁ ଶିଶୁମାନଙ୍କୁ ଶ୍ରମିକ ଓ ଯୌନ ଶୋଷଣ କାର୍ଯ୍ୟରେ ନିୟୋଜିତ କରିବା ଆଶଙ୍କା ବୃଦ୍ଧି ପାଇଛି। ବଡ଼ କଥା ହେଉଛି ବିଦ୍ୟାଳୟ ବନ୍ଦ ଥିବାରୁ ଓ ଅନ୍‌ଲାଇନ୍‌ ପାଠପଢ଼ାରେ ବହୁ ପିଲା ଉପକୃତ ହୋଇପାରୁନଥିବାରୁ ବହୁ ପିଲା ପାଠ ଛାଡ଼ୁଛନ୍ତି। ତେଣୁ ସେମାନଙ୍କୁ ଶ୍ରମିକଭାବେ ନିୟୋଜିତ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର