ନାରାୟଣପାଟଣା: କାଶୀପୁର ବ୍ଲକ ମୁନୁଷପଦର ଭଳି ସ୍ଥିତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଦେଖିବାକୁ ମିଳିଛି। ସପ୍ତାହକ ମଧ୍ୟରେ ବାଲିପେଟା ପଞ୍ଚାୟତ ଗତିଗୁଡ଼ା ଗାଁର ୩ ଶିଶୁ ଏବଂ ପୋଡ଼ାପଦର ପଞ୍ଚାୟତ ବାଡ଼ାଝୋଲା ଗାଁର ଜଣେ ଶିଶୁର ମୃତ୍ୟୁ ହୋଇସାରିଲାଣି। ପ୍ରାୟ ୬ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଙ୍କ ଆକସ୍ମିକ ମୃତ୍ୟୁ ହେଉଥିବାରୁ ଗାଁରେ ଗୋଟିଏ ଡାକ୍ତରୀ ଟିମ୍ ଡେରା ପକାଇ କାରଣ ଖୋଜିବା ଆରମ୍ଭ କରିଛି। ବ୍ଲକ ସଦର ମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ଗତିଗୁଡ଼ା ଗାଁ ରହିଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଗାଁର ଅନନ୍ତ ମାଉକାଙ୍କ ୬ ମାସର ଶିଶୁପୁତ୍ର ନିମୋନିଆରେ ଆକ୍ରାନ୍ତ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା। ସେହିପରି ୨୨ ତାରିଖରେ
ରାଉତ ମେଲେକାଙ୍କ ୧୦ବର୍ଷର ପୁଅ ଲାଜର ମେଲେକା ସିଲିକନ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ୨୨ତାରିଖ ଦିନ ବିଡି ନାଚିକାଙ୍କ ଝିଅ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଖବର ମିଳିଛି। ୨୨ ତାରିଖ ଦିନ ପୋଡାପଦର ପଞ୍ଚାୟତ ବାଡ଼ାଝୋଲା ଗାଁର ଝାଡୁ ବାଡେକାଙ୍କ ପୁଅ ବିଜୁ ବାଡେକା (୮ବର୍ଷ) ନିମୋନିଆରେ ଆକ୍ରାନ୍ତ ହୋଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁବରଣ କରିଛି।
ଶିଶୁ ମୃତ୍ୟୁ ଖବର ମିଳିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ବ୍ଲକର ୬ଜଣ ଅସୁସ୍ଥ ଶିଶୁଙ୍କୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସିଡିଏମ୍ଓ କହିଛନ୍ତି। ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଗୋଟିଏ ଟିମ୍ ଗତିଗୁଡ଼ା ଗାଁରେ ପହଞ୍ଚି ଶିଶୁ ମୃତ୍ୟୁର କାରଣ ଖୋଜୁଛି। ଆଜି ସଂଧ୍ୟା ସୁଦ୍ଧା ଜିଲ୍ଲା ପ୍ରଶାସନକୁ ବିସ୍ତୃତ ରିପୋର୍ଟ ଦିଆଯିବ। ଡିପ୍ଥେରିଆ ବ୍ୟାପିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଗୋଟିଏ ଗୁଜବ। ଏଯାଏ ଜଣେ ମଧ୍ୟ ଡିପ୍ଥେରିଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସିଡିଏମ୍ଓ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ହଠାତ ଶିଶୁଙ୍କ ଆଖି ଫୁଲିଯାଉଛି। ଗଳାରେ ବ୍ୟଥା ହେବା ସହ ଥଣ୍ଡା ଜ୍ବର ଏବଂ କାଶ ଲାଗି ରହୁଛି ବୋଲି ଗ୍ରାମବାସୀ କହିଛନ୍ତି। ନିକଟସ୍ଥ ଡାକ୍ତରଖାନାରେ ଶିଶୁଙ୍କୁ ଚିକିତ୍ସା କରିବା ବଦଳରେ କୋରାପୁଟ ପଠାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଡାକ୍ତର ବିମଳ ବାଘ କହିଛନ୍ତି ଯେ ବ୍ଲକର ୩ଜଣ ଶିଶୁ ନିମୋନିଆ ଏବଂ ଜଣେ ସିକଲିନ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏଯାଏ ଜଣେ ବି ଡିପ୍ଥେରିଆରେ ଆକ୍ରାନ୍ତ ହୋଇନାହାନ୍ତି। ଗାଁରେ ଡାକ୍ତରୀ ଟିମ୍ ଡେରା ପକାଇ ଲୋକଙ୍କୁ ସଚେତନ କରୁଛି। ଭୟଭୀତ ହେବାର କୌଣସି କାରଣ ନଥିବାରୁ ପ୍ରତି ପରିବାରକୁ ଆଶ୍ବସ୍ତ ରହିବାକୁ ପରାମର୍ଶ ଦିଆଯାଇଛି। କ୍ୟାମ୍ପ କରି ନମୁନା ସଂଗ୍ରହ କରାଯାଉଛି ବୋଲି ଜଣାଇଛନ୍ତି। ନାରାୟଣପାଟଣା ବିଡିଓ ପୀୟୂଷ ଲୋହର ସନ୍ଧ୍ୟାରେ ଗତିଗୁଡା ଗାଁକୁ ଯାଇ ସ୍ଥିତି ସମୀକ୍ଷା କରି ଫେରିଛନ୍ତି।