ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ ମୁକୁନ୍ଦପୁର ପଞ୍ଚାୟତର ଝିଙ୍କିରିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ ୪ଜଣ ଶିଶୁ ଅଜାଣତରେ କୀଟନାଶକ ପିଇଦେଇଛନ୍ତି। ଫଳରେ, ଅସୁସ୍ଥ ହୋଇ ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ବୟସ ୨ରୁ ୪ ବର୍ଷ ଭିତରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ପୁଅ ଓ ୨ ଝିଅ ଅଛନ୍ତି।

Advertisment

ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ ଝିଙ୍କିରିଆ ଗାଁର ମୃତ୍ୟୁଞ୍ଜୟ ବେହେରାଙ୍କ ପୁଅ ରୁଦ୍ରନାରାୟଣ (୪), ଗଣେଶ ମହାଳିକଙ୍କ ପୁଅ ବଜରଙ୍ଗୀ (୪) ଓ ତାଙ୍କ ଝିଅ ଗୁଡ଼ି (୨), ଚରମ୍ପା ଗ୍ରାମର ରାଜେନ୍ଦ୍ର ଦାସଙ୍କ ଝିଅ ବ୍ରାହ୍ମୀସ୍ବରୂପା (୨) ସାଙ୍ଗ ହୋଇ ଖେଳୁଥିଲେ। ଏହିସମୟରେ ପାଖ ବିଲରେ ପଡିଥିବା ଆକ୍ଟିଭ-୮୦ ନାମକ ଏକ ହର୍ବାଲ କୀଟନାଶକକୁ ଜଣେ ଖାଇବା ଦେଖି ଅନ୍ୟ ୩ ଜଣ ସେହି କୀଟନାଶକରୁ ଢୋକେ ଲେଖା ପିଇଥିଲେ। ପାଟିରୁ ଫେଣ ବାହାରିବା ସାଙ୍ଗକୁ ପିଲାମାନେ ଅସୁସ୍ଥ ହୋଇପଡ଼ିବା ଦେଖି ପରିବାର ଲୋକେ ସମସ୍ତଙ୍କୁ ତିହିଡି ଡାକ୍ତରଖାନା ଓ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ​କୁ ନେଇ ଯାଇଥିଲେ। ଆଶ୍ବାସନାର ବିଷୟ ହେଉଛି, ଚିକିତ୍ସା ପରେ ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲରହିଛି।