ନାରାୟଣପାଟଣାର ୪ ଶିଶୁ ଗୁରୁତର: ଡିପ୍‌‌ଥେରିଆ ସଂକ୍ରମଣ ସନ୍ଦେହ

କୋରାପୁଟ ବଡ଼ ଡାକ୍ତରଖାନାରେ ଭର୍ତ୍ତି, ସ୍ବାସ୍ଥ୍ୟ ବିଭାଗରେ ତାଳମେଳ ଅଭାବ

କୋରାପୁଟ/ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଅସୁସ୍ଥ ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୪ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେଥିରୁ ୨ଜଣ ଶିଶୁଙ୍କ ସଂପୂର୍ଣ୍ଣ ସୂଚନା ମିଳୁନି କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉନି। ଅସୁସ୍ଥ ଶିଶୁଙ୍କ ନିକଟରେ ଡିପ୍‌ଥେରିଆ ସଂକ୍ରମଣର ଲକ୍ଷଣ ରହିଛି। ତେଣୁ ଆସନ୍ତାକାଲି ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଡିପ୍‌ଥେରିଆ ଏବେ ଡରାଉଥିଲା ବେଳେ ସ୍ବାସ୍ଥ୍ୟ ବିଭାଗ ଏବଂ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳ ରହୁନଥିବା ଦେଖିବାକୁ ମିଳୁଛି। ଏମିତି ସ୍ଥିତିରେ କିଭଳି ରୋଗର ମୁକାବିଲା କରାଯିବ ତାହା ବଡ଼ ପ୍ରଶ୍ନ।

ଗତକାଲି କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ ଗିରିଗୁଡ଼ା ଗାଁର ସିନେୟା ହିମେରିକା (୫ବର୍ଷ) ଏବଂ ସୁମିତ ଶିକରିକା (୫ବର୍ଷ) ଆସୁସ୍ଥ ହୋଇଥିଲେ। ସେହିପରି ବ୍ଲକର ଆଉ ଦୁଇ ଜଣ ଶିଶୁ ମଧ୍ୟ ଗତକାଲି ଅସୁସ୍ଥ ହୋଇଥିବା ଖବର ମିଳିଛି। ଅସୁସ୍ଥ ଶିଶୁଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଜ୍ବର ସହ ବେକ ଫୁଲିବା ଭଳି ଲକ୍ଷଣ ଶିଶୁଙ୍କ ନିକଟରେ ଦେଖିବାକୁ ମିଳିଥିଲା। ତେଣୁ ସ୍ବତନ୍ତ୍ର ଆମ୍ବୁଲାନ୍ସ କରି ଆଜି ସକାଳେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସଂଧ୍ୟା ସୁଦ୍ଧା ଡାକ୍ତର ରୋଗ ଚିହ୍ନଟ କରିପାରି ନଥିଲେ। ତେଣୁ ଡିପ୍‌ଥେରିଆ ସନ୍ଦେହରେ ଆସନ୍ତାକାଲି ନମୁନା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ଘଡ଼ିସନ୍ଧି ସମୟରେ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଅନୁଷ୍ଠାନ ମଧ୍ୟରେ ତାଳମେଳର ଅଭାବ ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯେଉଁ ତଥ୍ୟ ଏବଂ ପରାମର୍ଶ ଦେଉଛନ୍ତି ତାହାକୁ ମେଡିକାଲ କଳେଜ କର୍ତ୍ତୃପକ୍ଷ ଗ୍ରହଣ କରୁନଥିବା ଜଣାପଡ଼ିଛି। କାରଣ ଆଜି ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ରେଫର ହୋଇଥିବା ୪ ଶିଶୁଙ୍କ ମଧ୍ୟରୁ ୨ ଶିଶୁଙ୍କ ଚିକିତ୍ସା ମେଡିକାଲ କଲେଜ କର୍ତ୍ତୃପକ୍ଷ କରିନାହାନ୍ତି। ପରିବାର ସହ ଦୁଇ ଶିଶୁଙ୍କୁ ଘରକୁ ଫେରାଇ ଦେଇଥିବା ସୂଚନା ମିଳିଛି। କେଉଁ କାରଣରୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଲେ ତାହା ବି ସ୍ପଷ୍ଟ କରାଯାଉନି। ଦୁଇ ଶିଶୁଙ୍କୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଫେରାଇବା ପରେ ସେମାନେ କେଉଁ ଅବସ୍ଥାରେ, କେଉଁଠି ଅଛନ୍ତି ତାହାର ସୂଚନା କାହା ନିକଟରେ ନାହିଁ। ସେହିପରି ଡାକ୍ତର ଗୋଟିଏ କଥା କହୁଥିଲା ବେଳେ ଅସୁସ୍ଥ ଶିଶୁଙ୍କ ପରିବାର ଠିକ୍‌ ବିପରୀତ କଥା କହୁଛନ୍ତି। ଅନ୍ୟପଟେ ବ୍ଲକର ଅନେକ ଶିଶୁଙ୍କ ନିକଟରେ ଜ୍ବର, କାଶ, ତଣ୍ଟି ଦରଜ ଭଳି ଲକ୍ଷଣ ଦେଖିବାକୁ ମିଳିଛି।

ବ୍ଲକର ୪ଜଣ ଶିଶୁ ଗୋଟିଏ ଦିନରେ କୋରାପୁଟ ରେଫର ହୋଇଥିବାରୁ ସ୍ଥିତି ଗମ୍ଭିର ରହିଛି। ତେଣୁ ସ୍ବତନ୍ତ୍ର ଡାକ୍ତରୀ ଦଳ, ଏଏନ୍‌ଏମ୍‌, ଆଶା, ସ୍ବାସ୍ଥ୍ୟକର୍ମୀ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଘର ଘର ବୁଲି ନମୁନା ସଂଗ୍ରହ କରିବା ସହ ଶିଶୁଙ୍କ ଠାରେ ଜ୍ବର, କାଶ, ବେକଫୁଲା ଭଳି ଲକ୍ଷଣ ରହିଥିଲେ ଜଣାଇବା ପାଇଁ କହୁଛନ୍ତି। ଏହାରି ମଧ୍ୟରେ ବହୁ ଶିଶୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଥିବା ଏଡିପିଏଚ୍‌ଓ ଡାକ୍ତର ମୁକ୍ତିକାନ୍ତ ଖଟୁଆ କହିଛନ୍ତି। ୪ ଶିଶୁଙ୍କ ଠାରେ ଜ୍ବର, କାଶ ଓ ତଣ୍ଟି ଦରଜ ହୋଇ ଫୁଲିବା ଆଦି ଲକ୍ଷଣ ଦେଖିବାକୁ ମିଳିଛି। ପ୍ରାଥମିକ ଚିକିତ୍ସା ପରେ ବଡ଼ ମେଡିକାଲକୁ ପଠାଯାଇଛି। ଆସନ୍ତାକାଲି ନମୁନା ପରୀକ୍ଷା କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର