ପିଲା ହେଲେନି, ୪ କଲେଜରେ ତାଲା

୩ଟି ଯୁକ୍ତ୩ କଲେଜରେ ନାମଲେଖା‌ ସ୍ଥଗିତ, ଯୁକ୍ତ୩ରେ ପ୍ରସ୍ତୁତ ହେଲା ୯୪ଟି ସ୍ମାର୍ଟ କ୍ଲାସରୁମ୍‌
ଭୁବ‌ନେଶ୍ବର: ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ ପରି ପାଠ୍ୟକ୍ରମରେ ସିଟ୍‌ ଖାଲି ପଡ଼ୁଥିବା ବେଳେ ଏବେ ସାଧାରଣ ପାଠ୍ୟକ୍ରମରୁ ମୁହଁ ମୋଡ଼ୁଛନ୍ତି ଛାତ୍ରଛାତ୍ରୀ। ଉଚ୍ଚଶିକ୍ଷା ପାଇଁ ଯୁକ୍ତ୩ କଲେଜରେ ପଢ଼ିବା ପାଇଁ ପିଲାମାନେ ଆଗ୍ରହ ଦେଖାଉନାହାନ୍ତି। ଯେଉଁଥି ପାଇଁ ୨୦୧୮-୧୯ ଶିକ୍ଷାବର୍ଷରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ହଜାର ହଜାର ସିଟ୍‌ ଖାଲି ପଡ଼ିଥିଲା। ୪ଟି ପର୍ଯ୍ୟାୟରେ ନାମଲେଖା ପରେ ବି ୩ଟି ଯାକ ବିଭାଗରେ ଛାତ୍ରଛାତ୍ରୀଙ୍କ ଅଭାବ ରହିଥିଲା। ପିଲା ହେଉ ନ ଥିବାରୁ କେତେକ କଲେଜରେ ବାଣିଜ୍ୟ ପାଠ୍ୟକ୍ରମରେ ତାଲା ପକାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା ଉଚ୍ଚଶିକ୍ଷା ବିଭାଗ। ସେହି ଅନୁଯାୟୀ ଚଳିତ ଶିକ୍ଷାବର୍ଷଠାରୁ ନିୟମକୁ କଡ଼ାକଡ଼ି କରାଯାଇଛି।

ବିଭାଗ ପକ୍ଷରୁ ରାଜ୍ୟର ୪ଟି କଲେଜକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଦୌ ଛାତ୍ରଛାତ୍ରୀ ନାମ ଲେଖାଇ ନଥିବାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଥିବା ଶିବାନନ୍ଦ ସରସ୍ବତୀ(ଡିଗ୍ରି) ମହାବିଦ୍ୟାଳୟ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଥିବା ବେଦାନ୍ତ ଡିଏଭି ଲାଞ୍ଜିଗଡ଼ ସାଇନ୍ସ କଲେଜ, ରାୟଗଡ଼ା ଜିଲ୍ଲାର ପର୍ଶୁରାମ ଡିଗ୍ରି କଲେଜକୁ ବନ୍ଦ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ଆଞ୍ଚଳିକ ଡିଗ୍ରି କଲେଜ ଅନୁମତିପତ୍ର ପାଇ ନଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଆଞ୍ଚଳିକ ଶିକ୍ଷା ଅଧିକାରୀମାନଙ୍କ ଚିଠି ଆଧାରରେ ୩ଟି ଡିଗ୍ରି କଲେଜରେ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ନାମଲେଖା ଉପରେ ସ୍ଥଗିତାଦେଶ ଜାରି ହୋଇଛି। ଉଚ୍ଚଶିକ୍ଷା ବିଭାଗର ଅନୁମତି ନ ମିଳିବା ପର୍ଯ୍ୟନ୍ତ ସମ୍ପୃକ୍ତ କଲେଜରେ ନାମଲେଖା ହୋଇପାରିବ ନାହିଁ। ଇତି ମଧ୍ୟରେ ଆଉ କିଛି କଲେଜ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତିପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୧୦୧ଟି ଡିଗ୍ରି କଲେଜରେ ୧୩୫ଟି ସ୍ମାର୍ଟ କ୍ଲାସ ରୁମ୍ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ସୁଦ୍ଧା ୯୪ଟି ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା ହୋଇସାରିଛି। ଏହାର ପରିଚାଳନା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏଥିରେ ଏକ୍ସପର୍ଟ ରହିଛନ୍ତି। ସ୍ମାର୍ଟ କ୍ଲାସରୁମ୍‌ରେ ଅଧ୍ୟାପକମାନେ ଅତ୍ୟାଧୁନିକ ଶୈଳୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ଅଧ୍ୟାପକମାନେ ଯେଉଁ ଶିକ୍ଷାଦାନ କରିବେ ତାହାର ରେକର୍ଡିଂ ରଖାଯିବ। ଯାହାକୁ ପରବର୍ତୀ ସମୟରେ ଛାତ୍ରଛାତ୍ରୀ ଦେଖି ଡାଉଟ୍‌ କ୍ଲିଅର୍‌ କରିପାରିବେ। ସ୍ମାର୍ଟକ୍ଲାସ ପିଛା ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା ଲାଗି ଉଚ୍ଚଶିକ୍ଷା ବିଭାଗ ଓ ଟିସିଆଇଏଲ୍ ମଧ୍ୟରେ ଗତ ମାର୍ଚ୍ଚ ମାସରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ବୁଝାମଣା ଅନୁଯାୟୀ ୫୧ଟି ସରକାରୀ ଓ ୫୦ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମ୍ ଓ ଭର୍ଚୁଆଲ୍ କ୍ଲାସ୍ ରୁମ୍ ହେବ। ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଡେସ୍କଟପ୍, ପ୍ରୋଜେକ୍ଟର, ଇଣ୍ଟରଆକ୍ଟିଭ୍ ହ୍ୱାଇଟ୍ ବୋର୍ଡ, ୱେୟାରଲେସ୍, ମାଇକ୍ରୋଫୋନ ଓ କ୍ୟାମେରା ଲଗାଯିବ।

ସମ୍ବନ୍ଧିତ ଖବର