ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ମାମଲା, ସେସୁକୁ ଆଉ ୪ କୋଟି ଜରିମାନା

ନୂଆଦିଲ୍ଲୀ : ଢେଙ୍କାନାଳର କମଳାଙ୍ଗ ନିକଟରେ ଅକ୍ଟୋବର ତୃତୀୟ ସପ୍ତାହରେ ୭ ହାତୀ ମୃତ୍ୟୁ ଘଟଣାରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଆଜି ପୁଣିଥରେ ସେସୁକୁ ୪ କୋଟି ଟଙ୍କାର ଜରିମାନା କରିଛନ୍ତି। ଜରିମାନା ଅର୍ଥରାଶିକୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟ ତତ୍ତ୍ବାବଧାରକଙ୍କ ନିକଟରେ ଜମା କରିବାପାଇଁ ଏନ୍‌ଜିଟି ପ୍ରିନ୍ସପାଲ୍‌ ବେଞ୍ଚ୍‌ର ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା‌େଯାଗ୍ୟ, ଅକ୍ଟୋବର ୨୬ରେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏନ୍‌ଜିଟି ନିଜ ଆଡ଼ୁ ମାମଲା ରୁଜୁ କରି ଅକ୍ଟୋବର ୩୦ରେ ସେସୁକୁ ଏଥପାଇଁ ଦାୟୀ କରିଥିଲେ। ଅବହେଳା ଯୋଗୁଁ ସେସୁକୁ ୧ କୋଟି ଟଙ୍କାର ଆର୍ଥିକ ଦଣ୍ଡ ଶୁଣାଇବା ସହିତ ହାତୀ ମୃତ୍ୟୁର ତଦନ୍ତ ପାଇଁ ୪ ଜଣିଆ ଟିମ୍‌ ଗଠନ କରିଥିଲେ। ତଦନ୍ତକାରୀ ଦଳକୁ ଦୁଇ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ମାସ ଡେରାଡ଼ୁନ୍‌ ବନ୍ୟପ୍ରାଣୀ ପ୍ରତିଷ୍ଠାନର ନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ହାତୀ ପ୍ରକଳ୍ପର ନିର୍ଦ୍ଦେଶକ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ପ୍ରତିନିଧି ସହ ୪ ଜଣିଆ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ଏନ୍‌ଜିଟିରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ହାତୀ ମୃତ୍ୟୁ ମାମଲାରେ ସେସୁକୁ ଦାୟୀ କରାଯିବ ସହ ରାଜ୍ୟ ପୁଲିସ ଦ୍ବାରା ମାମଲାରେ ତଦନ୍ତ ଜାରି ରହିଥିବା ଦର୍ଶାଯାଇଛି। ଆଜି ଏନ୍‌ଜିଟିର ୪ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ସେସୁକୁ ୪ କୋଟି ଟଙ୍କା ଜରିମାନା କରିଛନ୍ତି। ଉକ୍ତ ଅର୍ଥରାଶିକୁ ହାତୀଙ୍କ ସୁରକ୍ଷା ପାଇଁ ବିନିଯୋଗ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଅନ୍ୟପକ୍ଷେ ହାତୀଙ୍କ ସୁରକ୍ଷା ପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାପାଇଁ ରାଜ୍ୟ ବନ ବିଭାଗକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଆକ୍ସନ୍‌ ପ୍ଲାନ୍‌ ଅନ୍ତର୍ଗତ ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ଆକ୍ସନ୍‌ ପ୍ଲାନ୍‌ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ପ୍ରତି ତିନି ମାସରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପଡ଼ିବ ତଥା ସେସୁକୁ ମଧ୍ୟ ହାତୀ ସୁରକ୍ଷା ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ସୁପାରିସ ଗୁଡ଼ିକୁ ମାନିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ହାତୀ ସୁରକ୍ଷା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଅକ୍ଟୋବର ୧୭, ୨୦୧୭ର ଗାଇଡଲାଇନ୍ସର ପୁନଃ ସମୀକ୍ଷା ପାଇଁ ଏନ୍‌ଜିଟି ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର