୮ କୋଟିର ଜାଲ୍‌ ନୋଟ୍‌, ଇଞ୍ଜିନିୟର ସମେତ ୩ ଜଣ ଗିରଫ

ରାୟପୁରରୁ ବିଶାଖାପାଟଣା, ଭାୟା କୋରାପୁଟ, ରିମାଣ୍ଡ ପାଇଁ ଆବେଦନ କରିବ ପଟାଙ୍ଗି ପୁଲିସ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରେ ଜବତ ହୋଇଛି ୭.୯୦ କୋଟିର ଜାଲ୍ ୫ଶହ ଟଙ୍କିଆ ନୋଟ୍। ରାୟପୁରରେ ଏହି ଜାଲ୍‌ ନୋଟ୍ ଛପାଇବା ପରେ ବିଶାଖାପାଟଣା ନିଆଯାଉଥିଲା। ଏଥିରେ ସଂପୃକ୍ତ ଛତିଶଗଡ଼ର ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହାର ସନ୍ଧାନ ଆରମ୍ଭ କରିଛି କୋରାପୁଟ ପୁଲିସ। ଏଥିପାଇଁ କୋରାପୁଟ ପୁଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇଛି। ରାଜ୍ୟରେ ଏତେ ପରିମାଣର ଜାଲ୍ ନୋଟ୍ ଜବତ ହେବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଫାଣ୍ଡି ପୁଲିସ ପକ୍ଷରୁ ଅନ୍ୟଦିନ ଭଳି ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଓଡ଼ିଶା ସୀମା ପାର ହେବାକୁ ପ୍ରୟାସ କରୁଥିବା ଫୋର୍ଡ ଫିଗୋ (ସିଜି-୦୪-‌ଏଲଏସ-୦୫୪୫) କାର ଉପରେ ପୁଲିସର ସନ୍ଦେହ ହୋଇଥିଲା। ତେଣୁ ଅଟକାଇବାକୁ ପୁଲିସ ଚେଷ୍ଟା କରିଥିଲେ ବି କାର ଚାଳକ ଅଟକି ନଥିଲେ। ଦ୍ରୁତଗତିରେ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ କାରକୁ ପିଛା କରି କିଛି ଦୂରରେ ଅଟକାଇଥିଲା। ଗାଡ଼ି ଭିତରୁ ଡ୍ରାଇଭର ସମେତ ୩ଜଣଙ୍କୁ ଓହ୍ଲାଇ ଆରମ୍ଭ ହୋଇଥିଲା ଯାଞ୍ଚ। କାର ସମ୍ମୁଖ ପଟେ ଦୁଇଟି ବଡ଼ ଟ୍ରଲି ବ୍ୟାଗ୍‌ ଓ ପଛ ପଟେ ଦୁଇଟି ଟ୍ରଲି ବ୍ୟାଗ୍‌ ଉପରେ ପୁଲିସର ନଜର ପଡ଼ିଥିଲା। ବ୍ୟାଗ୍ ଗୁଡ଼ିକୁ ଖୋଲିବା ବେଳକୁ ପୁଳା ପୁଳା ୫ଶହ ଟଙ୍କିଆ ନୋଟ୍ ବାହାରିଥିଲା। ଟଙ୍କା ଜବତ କରିବା ସହ ପୁଲିସ ଏହି ଚାଲାଣରେ ସଂପୃକ୍ତ ଏକ ପ୍ରତିଷ୍ଠିତ ପାୱାର ପ୍ଲାଣ୍ଟରେ କାମ କରୁଥିବା ଇଞ୍ଜିନିୟର, ଜଣେ କର୍ମଚାରୀ ଓ ଡ୍ରାଇଭରଙ୍କୁ ଗିରଫ କରିଥିଲା।
ସୁନାବେଡ଼ା ଏସ୍‌ଡିପିଓ କହିଛନ୍ତି ଯେ ଏତେ ଟଙ୍କା ମିଳିଥିବାରୁ ଏ ନେଇ ବ୍ୟାଙ୍କ ଅଧିକାରୀଙ୍କୁ ପ୍ରଥମେ ଯୋଗାଯୋଗ କରାଯାଇଥିଲା। ଅଧିକାରୀ ନୋଟ୍ ଗୁଡ଼ିକୁ ଯାଞ୍ଚ କରିବା ପରେ ନକଲି ବୋଲି ସ୍ପଷ୍ଟ କରିଥିଲେ।

ଏହାପରେ ବ୍ୟାଙ୍କରୁ ଟଙ୍କା ଗଣତି ମେସିନ୍ ଆଣି ନୋଟ୍ ଗଣିବା ଆରମ୍ଭ ହୋଇଥିଲା। ରାତି ଅନିଦ୍ରା ହୋଇ ୩୦ ଜଣ କର୍ମଚାରୀ ଗଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମୋଟ ୧୫୮୦ଟି ପାଞ୍ଚ ଶହ ଟଙ୍କିଆ ବିଡ଼ା ରହିଥିଲା। ଅଭିଯୁକ୍ତମାନେ ଛତିଶଗଡ଼ ରାଜ୍ୟ ଚମ୍ପା ଜିଲ୍ଲା ଜଞ୍ଜଗି ଅଞ୍ଚଳର ବୋଲି ଜଣାପଡ଼ିଛି। ତଦନ୍ତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ପରିଚୟକୁ ଗୋପନ ରଖାଯାଇଛି। ସେମାନଙ୍କ ନିକଟରୁ ୫ଟି ମୋବାଇଲ୍ ଓ ନଗଦ ୩୭ ହଜାର ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ରାୟପୁରରେ କଲର ପ୍ରିଣ୍ଟିଂ ଦ୍ବାରା ଏହି ନୋଟ୍ ପ୍ରସ୍ତୁତ କରାଯାଇଥିଲା। ବିଶାଖାପାଟଣାର ଜଣେ ବ୍ୟକ୍ତିଙ୍କୁ ଦେବା ପାଇଁ ଏମାନେ ନେଉଥିଲେ ବୋଲି କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଆନ୍ଧ୍ରରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଚାଲିଛି। ତେଣୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଏମାନେ ଏତେ ପରିମାଣରେ ଟଙ୍କା ନେବାକୁ କେମିତି ସାହସ ଜୁଟାଇଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ରାୟପୁରରେ ଯେଉଁ ଅଞ୍ଚଳରେ ଏହି ଜାଲି ନୋଟ୍‌ ଛପା ଯାଇଥିଲା, ସେଠାକୁ ପୁଲିସର ଗୋଟିଏ ଟିମ୍ ଯାଇଥିଲା। ପୁଲିସ ପହଞ୍ଚିବାବେଳକୁ ପ୍ରିଣ୍ଟର୍ସକୁ ସଂପୂର୍ଣ୍ଣ ନଷ୍ଟ କରାଯାଇଥିଲା। ତେଣୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରାଯିବ। ସେମାନଙ୍କ ସୂଚନା ଅନୁଯାୟୀ ଏହି ରୢାକେଟ୍‌ରେ କିଏ କିଏ ସଂପୃକ୍ତ ତାହାର ପର୍ଦ୍ଦାଫାସ ଅତିଶୀଘ୍ର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ୍ ଏସ୍‌ପି ବରୁଣ ଗୁଣ୍ଠପାଲ୍ଲୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର