କଟକ: ସେୟାର ବଜାରରେ ନିବେଶ ହୋଇଥିବା ୪ କୋଟି ଟଙ୍କା ବୁଡ଼ିଯିବାରୁ ନିବେଶକମାନେ ସେୟାର ବ୍ରୋକର୍ଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖିଥିଲେ। ବୟାଳିଶମୌଜା ଥାନା ପୁଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍ କେନ୍ଦ୍ରାପଡ଼ାରେ ଚଢ଼ଉ କରି ମାଷ୍ଟରମାଇଣ୍ଡ୍ ସମେତ ୭ ଜଣଙ୍କୁ ଗିରଫ କରିଛି। ଅପହୃତ ବ୍ରୋକର୍ଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଏ ନେଇ ୩୦ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ବୟାଳିଶମୌଜା ଥାନା ବଉଳକୁଦରେ ରହୁଥିବା ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ରୀନା ବେହେରାଙ୍କ ପୁଅ ସୌମ୍ୟରଞ୍ଜନଙ୍କୁ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ୨୦ରୁ ୩୦ ଯୁବକ ଅପହରଣ କରିଥିଲେ। ସୌମ୍ୟ ବିଭିନ୍ନ ଲୋକଙ୍କ ନିକଟରୁ ଟଙ୍କା ଧାର ଆଣି ଷ୍ଟକ୍ ମାର୍କେଟରେ ନିବେଶ କରିଥିଲେ। ୨୦୧୯ରୁ ୨୦୨୨ ଯାଏଁ ସୌମ୍ୟ ସେୟାର ବଜାରରେ ସକ୍ରିୟ ଭାବେ ନିବେଶ କରୁଥିଲେ। ଭୁବନେଶ୍ବର ଖାରବେଳ ନଗରରେ ସେ ଏକ ଅଫିସ୍ ମଧ୍ୟ ଖୋଲିଥିଲେ। କେନ୍ଦ୍ରାପଡ଼ାର ମୂଳ ବାସିନ୍ଦା ସୌମ୍ୟ ଯୁକ୍ତ୨ ପଢ଼ିଥିବା ବେଳେ ନିବେଶ କରିବା ପାଇଁ ନିଜ ଅଞ୍ଚଳର ଲୋକଙ୍କୁ ଏଥିପାଇଁ ଆକର୍ଷିତ କରିଥିଲେ। ଅଧିକ ଲାଭ ଆଶାରେ ଭୁବନେଶ୍ବର, କେନ୍ଦ୍ରାପଡ଼ା, କଟକ ଅଞ୍ଚଳର ୫୦ରୁ ଅଧିକ ଲୋକ ନିବେଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କାର ହିସାବ ବୟାଳିଶମୌଜା ପୁଲିସ ହାତରେ ଲାଗିଛି। କିନ୍ତୁ ସେୟାର ବଜାରରେ ମାନ୍ଦା ଅବସ୍ଥା ଯୋଗୁ ସୌମ୍ୟ ବିପୁଳ କ୍ଷତି ସହିଥିଲେ। କେନ୍ଦ୍ରାପଡ଼ା ଟାଉନ୍ରେ ଜିମ୍ ସେଣ୍ଟର ଖୋଲିଥିବା ରାଜୁ ଓରଫ ରାଜେଶ ଦାସ ଓ ସହଯୋଗୀ ଏମ୍ପି ଓରଫ ଦିବ୍ୟଜ୍ୟୋତି ୭୦ ଲକ୍ଷ ଟଙ୍କା ସୌମ୍ୟଙ୍କ ଜରିଆରେ ନିବେଶ କରିଥିଲେ। ସେମାନେ ସୌମ୍ୟଙ୍କୁ ଅପହରଣ ଯୋଜନା କରିଥିଲେ। ରାଜେଶଙ୍କ ଜିମ୍ର କେତେକ ସଦସ୍ୟ ଏହି ଯୋଜନାରେ ସାମିଲ ହୋଇଥିଲେ। ସେମାନେ ଭୁବନେଶ୍ବରରୁ ଏକ କାର୍ ଭଡ଼ାରେ ଆଣି କଟକ ଆସିଥିଲେ। ସେମାନଙ୍କ ସହିତ କେତେଜଣ ବାଇକ୍ରେ ମଧ୍ୟ ଆସିଥିଲେ। ୧୮ ତାରିଖରେ ସୌମ୍ୟଙ୍କୁ ତାଙ୍କ ବଉଳକୁଦ ଘରୁ ଅପହରଣ କରିନେଇଥିଲେ। ସେଠାରେ ତାଙ୍କୁ ଅଟକ ରଖି ଟଙ୍କା ମାଗିଥିଲେ। ତେବେ ପୁଲିସ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା।
ଜୋନ୍ ଏସିପି ଅମିତାଭ ମହାପାତ୍ର, ବୟାଳିଶମୌଜା ଥାନା ଆଇଆଇସି ଗିରୀଶ ମହାରଣା,ଏସ୍ଆଇ ସୁନିଲ ଯାଦବ, ପି.କେ. ସାସମଲ ଏବଂ ସ୍ବତନ୍ତ୍ର ସ୍କ୍ବାଡ୍ ଏଥିରେ ସାମିଲ ହୋଇଥିଲେ। ପୁଲିସ ଟିମ୍ ସିସିଟିଭି ଫୁଟେଜ୍ ଆଧାରରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ବଡ଼ହାଟ ଅଞ୍ଚଳରୁ ସୌମ୍ୟଙ୍କୁ ଉଦ୍ଧାର କରିଥିଲା। ଏହି ଅପହରଣର ମାଷ୍ଟରମାଇଣ୍ଡ୍ ରାଜେଶ ଓ ୬ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଅଞ୍ଚଳର ଏମ୍ପି ଓରଫ ଦିବ୍ୟଜ୍ୟୋତି(୨୭), ଜମ୍ବୁ ଥାନା ଅଞ୍ଚଳର ବୁଦ୍ଧଦେବ ବସୁ(୧୯), ବଡ଼ ହାଟର ରାଜେଶ ଦାସ(୨୯), ଚୌରୀ ବ୍ରହ୍ମପୁରର ରାଜା ନାୟକ(୨୧), ବାବୁ ଓରଫ ପ୍ରଶାନ୍ତ ନାୟକ(୧୯), ରଞ୍ଜିତ ନାୟକ(୨୨)। ସପ୍ତମ ଅଭିଯୁକ୍ତ ଜଣକ ଜଣେ ନାବାଳକ।ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଗୋଟିଏ କାର୍, ୪ଟି ବାଇକ୍ ଜବତ କରିଥିବା ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/21/CfvKGl7BDATV4Jgbo1sj.jpg)