ସୁନ୍ଦରଗଡ଼: ଜୁଲାଇ ୨୭ ତାରିଖ ଅପରାହ୍ନରେ ସୁନ୍ଦରଗଡ଼ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨.୯୨ ଲକ୍ଷ ଟଙ୍କା ଓ ମହିଳା କର୍ମଚାରୀଙ୍କ ସୁନା ଚେନ୍ ଡକାୟତି ଘଟଣାର ୪ ଡକାୟତ ଧରାପଡ଼ିଛନ୍ତି। ବିହାର, ଝାରଖଣ୍ଡ ଓ ସୁନ୍ଦରଗଡ଼ ପୁଲିସର ମିଳିତ ତନାଘନା ପରେ ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ସଫଳତା ମିଳିଛି। ଝାରଖଣ୍ଡର ଖୁଣ୍ଟି ଅଞ୍ଚଳରେ ଧରାପଡ଼ିଥିବା ଅଭିଯୁକ୍ତମାନଙ୍କୁ ବିହାର ପୁଲିସ ବନିହାର ଥାନାରେ ଅଟକ ରଖି ପଚରାଉଚରା କରୁଛି। ଝାରଖଣ୍ଡ, ବିହାର ଓ ଓଡ଼ିଶା ପୁଲିସ ରେକର୍ଡରେ ପେସାଦାର ଓ ଦୁର୍ଦ୍ଦାନ୍ତ ପରିଚୟ ଥିବା ୪ ଅଭିଯୁକ୍ତଙ୍କ ନାମରେ ଦେଢ଼ଶହରୁ ଅଧିକ ଡକାୟତି, ଲୁଟ୍ ଓ ହତ୍ୟା ପରି ସଂଗୀନ ମାମଲା ରହିଛି। ସେମାନଙ୍କ ନାମରେ ବିହାର ପୁଲିସ ୫୦ ହଜାର ପୁରସ୍କାର ରାଶି ଘୋଷଣା କରିଥିଲା। ଗିରଫ ଡକାୟତମାନଙ୍କ ଠାରୁ ୪ଟି ପିସ୍ତଲ, ୨ଟି ବାଇକ୍, ବ୍ୟାଙ୍କ କର୍ମଚାରୀଙ୍କ ୪ଟି ମୋବାଇଲ ଓ ୩୨ ହଜାର ଟଙ୍କା ଜବତ କରାଯାଇଛି।
/sambad/media/post_attachments/wp-content/uploads/2021/07/698249d7-7ba9-43ee-8a48-fff66eb45cae.jpg)
ଆଜି ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ୨୭ ତାରିଖ ଅପରାହ୍ନ ୨ଟା ୧୩ରେ କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ପଶି ୪ ଡକାୟତ ବନ୍ଧୁକ ମୁନରେ ଲକରରୁ ୨.୯୨ ଲକ୍ଷ ଓ ମହିଳା କର୍ମଚାରୀଙ୍କ ସୁନାଚେନ୍ ଲୁଟି ବ୍ୟାଙ୍କ ପରିଚାଳକ ନୀଳକାନ୍ତ କୁମାର, କ୍ୟାସିୟର ରାଖୀ କୁଜୁର, ଅନ୍ୟ ଜଣେ କର୍ମଚାରୀ ଡିଲେଶ୍ବର ଭୋଇ ଓ ଏସବିଆଇ ଜୀବନବୀମା କର୍ମଚାରୀ ସଂଜୟ ପ୍ରଧାନଙ୍କୁ ବ୍ୟାଙ୍କ ଶୌଚାଳୟରେ ବନ୍ଦ କରି ୨ଟି ବାଇକ୍ରେ ଫେରାର ହୋଇଯାଇଥିଲେ। ଦିନ ଦ୍ବିପ୍ରହରରେ ମାତ୍ର ୭ ମିନିଟ ମଧ୍ୟରେ ଟଙ୍କା ଓ ସୁନା ଚେନ୍ ଲୁଟି ନେଇ ଚମ୍ପଟ ମାରିବା ସୁନ୍ଦରଗଡ଼ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା।
/sambad/media/post_attachments/wp-content/uploads/2021/07/7be3fdbc-7555-444e-b472-1728a1bd4a1e-1024x473.jpg)
ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକାଙ୍କ ତତ୍ତ୍ବାବଧାନ ଓ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ନେତୃତ୍ବରେ ଅନ୍ତଃରାଜ୍ୟ ସମନ୍ବୟ ଟିମ୍ର ଶିକ୍ଷାନବିସ ଉପ ଅଧିକ୍ଷକ ସନ୍ତୋଷ କୁମାର ବାରିକ, ରାଜଗାଙ୍ଗପୁର ଥାନାଧିକାରୀ ବିବତ୍ସ କୁମାର ପ୍ରଧାନ ଓ ସ୍ଥାନୀୟ ସାଇବର ଟିମ୍ ୨ ରାଜ୍ୟ ପୁଲିସ ସହ ଯୋଗାଯୋଗ କରି ମିଳିତ ତନାଘନା ଚଲାଇଥିଲେ। ଘଟଣାର ମାତ୍ର ୪୮ ଘଣ୍ଟାରେ ଡକାୟତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାରୁ ସୁନ୍ଦରଗଡ଼ ପୁଲିସ ସାଧାରଣରେ ପ୍ରଶଂସନୀୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/e9852aad-8e39-4493-a744-d8f51b52632a.jpg)