ହସ୍ପିଟାଲକୁ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶର ୨୪ ଘଣ୍ଟା ନ ପୂରୁଣୁ କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲ ଗିରଫ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ବର୍ଷ ବର୍ଷ ଧରି ଦଲାଲରାଜ୍ ଚାଲି ଆସୁଥିବା ଅଭିଯୋଗ ହୋଇଆସୁଛି। କିଛି ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟର ସମେତ ହସ୍ପିଟାଲର ଦଲାଲମାନେ ହସ୍ପିଟାଲରେ ଗରିବ ରୋଗୀଙ୍କୁ ଭୁଆଁ ବୁଲାଇ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ଯିବା ପାଇଁ ପ୍ରବର୍ତ୍ତାଉ ଥିଲେ ବା ବାଧ୍ୟ କରୁଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ହସ୍ପିଟାଲରେ ଥିବା ଫାଣ୍ଡିର ପୁଲିସ କର୍ମଚାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି କାରବାର ଚାଲିଥିଲା।

ବିଭିନ୍ନ ସମୟରେ ଗଣମାଧ୍ୟମରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଉଥିଲେ ହେଁ, ଦଲାଲଙ୍କୁ କାବୁ କରିବା ସମ୍ଭବ ହେଉ ନ ଥିଲା।

ଅକ୍ଟୋବର ୨ତାରିଖରୁ ‘ମୋ ସରକାର’ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସନ୍ସିଂ ଜରିଆରେ ହସ୍ପିଟାଲକୁ ଦଲାଲ ମୁକ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶର ୨୪ ଘଣ୍ଟା ନ ପୂରୁଣୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ହସ୍ପିଟାଲ ପରିସରରେ ଚକ୍କର କାଟୁଥିବା ୪ ଦଲାଲ୍‌ଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ଗିରଫ କରିଛି। ଏଥିରେ ଜଣେ ଘରୋଇ ପାଥୋଲୋଜି ସଂସ୍ଥାର ମାଲିକ ଶ୍ରୀକାନ୍ତ ପୃ‌ଷ୍ଟି(୩୬) ରହିଥିବା ବେଳେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ଲକ୍ଷ୍ମୀକାନ୍ତ ମଲ୍ଲିକ(୩୫), ପ୍ରଶାନ୍ତ ବେହେରା(୩୫) ଓ ବିଭୂତି ଭୂଷଣ ବିନୋଦ(୨୯) ଅଛନ୍ତି। ଶ୍ରୀକାନ୍ତଙ୍କ ଘର ୟୁନିଟ୍‌-୬ ଏକାମ୍ର ମାର୍ଗ ଅଞ୍ଚଳର ହୋଇଥିବା ବେଳେ ଲକ୍ଷ୍ମୀକାନ୍ତ ସୌଭାଗ୍ୟନଗର, ପ୍ରଶାନ୍ତ ନୂଆପଲ୍ଲୀ ବେହେରାସାହି ଏବଂ ବିଭୂତି ଲିଙ୍ଗରାଜ ନଗରର ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ଧରି ଏମାନେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦଲାଲି କରୁଥିଲେ। ହସ୍ପିଟାଲ୍‌କୁ ଆସୁଥିବା ଗରିବ ରୋଗୀ ହିଁ ସେମାନଙ୍କର ଟାର୍ଗେଟ୍‌ରେ ଥିଲେ। ଡାକ୍ତରଙ୍କୁ ସାକ୍ଷାତ କରି ଫେରିବା ପର୍ଯ୍ୟନ୍ତ ସେମାନଙ୍କ ପିଛା କରୁଥିଲେ। ପ୍ରେସ୍‌କ୍ରିପସନ୍‌କୁ ରୋଗୀଙ୍କଠାରୁ ସଂଗ୍ରହ କରି ଘରୋଇ ପାଥୋଲୋଜି ସେଣ୍ଟରରେ ପରୀକ୍ଷା କରିବା ପାଇଁ ପ୍ରବର୍ତାଉଥିଲେ। ବାରମ୍ବାର ଏଭଳି ଘଟଣା ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ନଜରକୁ ଆସିବା ପରେ କର୍ତୃପକ୍ଷ କ୍ୟାପିଟାଲ ଥାନାରେ ଅଭି‌ଯୋଗ କରିଥିଲେ।

କ୍ୟାପିଟାଲ୍‌ ଥାନା ପୁଲିସ ସମ୍ପୃକ୍ତ ଦଲାଲ୍‌ଙ୍କୁ କାବୁ କରିବା ପାଇଁ ଗତ କିଛି ଦିନ ହେଲା ହସ୍ପିଟାଲ୍‌ ଉପରେ ନଜର ରଖିଥିଲେ। ଆଜି କିଛି ଦଲାଲ ପରୀକ୍ଷା ପାଇଁ ଘରୋଇ ସଂସ୍ଥାକୁ ପଠାଉଥିବା ବେଳେ କ୍ୟାପିଟାଲ୍‌ ଥାନା ପୁଲିସ ୪ ଦଲାଲଙ୍କୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଦଲାଲଙ୍କୁ କୋର୍ଟ ଚାଲାଣ କରିଛି। ଦଲାଲ୍‌ଙ୍କୁ ସାବାଡ଼ କରିବା ପାଇଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର