‘କନିଆ ଝିକା’କୁ ନେଇ ମାଡ଼ପିଟ୍‌, ୪ ଡଙ୍ଗରିଆ କନ୍ଧ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କ ‘କନିଆ ଝିକା’ ପରମ୍ପରାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିରେ ୪ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

‘କନିଆ ଝିକା’ ହେଉଛି ଡଙ୍ଗରିଆ କନ୍ଧଙ୍କର ଏକ ପରମ୍ପରା। ପରମ୍ପରା ଅନୁଯାୟୀ, ବିବାହ ବୟସ ହୋଇଗଲେ ଡଙ୍ଗରିଆ ପୁଅ ନିଜ ପସନ୍ଦର କନ୍ୟା ଖୋଜିଥାଏ। ଏହାପରେ ସେ କନ୍ୟାକୁ ଜୋରଜବରଦସ୍ତି ନିଜ ଘରକୁ ଟେକି ନିଏ। ଏହାପରେ କନ୍ୟା ଘର ଲୋକ ଆସି ଝିଅକୁ ନେଇଯା’ନ୍ତି। ବରଯାତ୍ରୀଙ୍କୁ ନେଇ ବର ପହଞ୍ଚିବା ପରେ ଧାଙ୍ଗଡ଼ି ବସାରେ କନ୍ୟାକୁ ଭେଟି ବିବାହ ପ୍ରସ୍ତାବ ଦିଏ। ଉଭୟ ବର ଓ କନ୍ୟା ରାଜି ହୋଇଯିବା ପରେ ଯଥାରୀତି ବିବାହ ସଂପନ୍ନ କରିବାର ପରମ୍ପରା ଦୀର୍ଘ ବର୍ଷ ହେଲା ଚାଲି ଆସିଛି।

ତେବେ, ନିୟମଗିରି ପାଦଦେଶରେ ଥିବା ସାନଡେଙ୍ଗଲେଲି ଗାଁରେ ଏହି ପରମ୍ପରାକୁ ନେଇ ତୁମୁଳକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଲାମ୍ବା ଗାଁର ଦାମ ଶିକକା ସାନଡେଙ୍ଗଲେଲି ଗାଁର ଜଣେ ନାବାଳିକାକୁ ପରଂପରା ଅନୁଯାୟୀ ନିଜ ଘରକୁ ଟେକି ନେଇଥିଲା। ଏହାପରେ ବର ଦାମ ଶିକକା ଭାବି ପତ୍ନୀଙ୍କ ଗାଁକୁ ଯାଇ ବିବାହ ନିମନ୍ତେ ରହିଥିବା ଧାଙ୍ଗଡ଼ି ବସାକୁ ଯାଇଥିଲେ। ତେବେ ସେଠାରେ କ’ଣ ହେଲା କେଜାଣି ନାବାଳିକାର ଚରିତ୍ରକୁ ନେଇ ସନ୍ଦେହ ହେବାରୁ ପାଟିତୁଣ୍ଡ କରି ନିଜ ଘରକୁ ଫେରି ଆସିଥିଲେ। ସାମାଜିକ ପରମ୍ପରା ଖଣ୍ଡନ ହେଉଥିବାରୁ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଗାଁ ଲୋକ ଉଦ୍ୟମ କରିଥିଲେ। ଏହି ଉଦ୍ୟମ ବିଫଳ ହୋଇଥିଲା। ବରଂ, ଉଭୟ ଗୋଷ୍ଠୀ ପରସ୍ପର ମଧ୍ୟର ମାଡ଼ପିଟ ହେବାରୁ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର