ଜନ୍ମକଲା ମାଆର ଶବକୁ ଚାହିଁଲେନି ପୁଅ: କାଳିଆର ବଡ଼ଦାଣ୍ଡରେ କୋକେଇ ବୋହି ଚାଲିଲେ ୪ ଝିଅ

ସାକ୍ଷୀ ରହିଲା ସ୍ୱର୍ଗଦ୍ୱାର, ଶ୍ରୀକ୍ଷେତ୍ରର ଦୃଶ୍ୟ ଦେଖିଲା ସାରା ଦେଶ

ଭୁବନେଶ୍ବର: ମା’ ଶବକୁ କାନ୍ଧ ଦେଲେ ୪ ଝିଅ । ମା’ର କୋକେଇ କାନେ୍ଧଇ ବଡଦାଣ୍ଡରେ ଚାଲିଲେ ୪ ଭଉଣୀ । ନୂଆବର୍ଷରେ ପୁରୀରେ ଏପରି ଦୃଶ୍ୟ ଦେଖି ହତବାକ ହୋଇଯାଇଥିଲେ ଲୋକେ । ଜନ୍ମକଲା ଦୁଇ ପୁଅ ମାଆକୁ ପଚାରିଲେ ନାହିଁ । ତେଣୁ ଝିଅମାନେ ମା’ର କୋକେଇ କାନେ୍ଧଇ ସ୍ୱର୍ଗଦ୍ୱାରକୁ ନେଲେ ଏବଂ ସମ୍ପର୍କୀୟ ମୁଖାଗ୍ନୀ ଦେଲେ ।

ମୁହଁରେ ଥିଲା ରାମନାମ ସତ୍ୟ ହେ, ହରିନାମ ସତ୍ୟ ହେ । ଚାରି ଝିଅଙ୍କ କାନ୍ଧରେ ମା’ର ଶବ । ବଡ଼ଦାଣ୍ଡରେ ଆଗକୁ ବଢ଼ିଚାଲିଥିଲା ଶୋଭାଯାତ୍ରା । ସାମାଜିକ ବନ୍ଧନକୁ ଭାଙ୍ଗି ମା’ର ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଥିଲେ ଚାରି ଝିଅ । ବଡ଼ଦାଣ୍ଡରେ ଏହି ଦୃଶ୍ୟ ଯିଏ ବି ଦେଖୁଥିଲା, ଦଣ୍ଡେ ଅଟକିଯାଉଥିଲା ।

ପୁରୀ ମଙ୍ଗଳା ଘାଟର ୮୧ ବର୍ଷୀୟ ଜଟି ସାହୁଙ୍କର ମୃତ୍ୟୁ ପରେ କିଏ ତାଙ୍କ ଅନ୍ତିମ ସଂସ୍କାର କରିବ, ତାକୁ ନେଇ ଉଠିଥିଲା ପ୍ରଶ୍ନବାଚୀ । କାରଣ ଜୀବିତ ଥିବା ବେଳେ ଦୁଇ ପୁଅ ତାଙ୍କ ସୁଃଖଦୁଃଖ ବୁଝୁ ନଥିଲେ । ତେଣୁ ସେମାନେ ଅନ୍ତିମ ସଂସ୍କାର ନକରିବାକୁ ଶେଷ ବେଳେ ବାରମ୍ବାର କହିଥିଲେ ଜଟି । ଫଳରେ ଏହି ଭାର ଆସିଥିଲା ୪ ଝିଅଙ୍କ କାନ୍ଧକୁ । ଚାରି ଝିଅ ସତୀମଣି, ସୁଶୀଳା, ପ୍ରମିଳା ଓ ସରସ୍ୱତୀ ଏକାଠି ହୋଇ ମା’ର ଶବକୁ ସ୍ୱର୍ଗଦ୍ୱାରକୁ ନେଇଥିଲେ । ଏମାନଙ୍କ ବୟସ ବି କମ୍ ନୁହଁ । ୩୪ରୁ ୬୦ ବର୍ଷ ମଧ୍ୟରେ ହେବ । ମଙ୍ଗଳାଘାଟରୁ ବଡ଼ଦାଣ୍ଡ ହୋଇ ପ୍ରାୟ ୪ କିଲୋମିଟର ମା’ର ମୃତଦେହକୁ କାନ୍ଧରେ ବୋହି ନେଇଥିଲେ ଚାରି ଝିଅ । ଚାରି ଝିଅ, ଜ୍ୱାଇଁ, ନାତି ଓ ସାହି ଲୋକେ ମିଶି ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି । ଜଟିଙ୍କ ଦିଅର କୁଞ୍ଜ ମୁଖାଗ୍ନୀ ଦେଇଥିଲେ ।

ହିନ୍ଦୁ ସମାଜରେ ସାଧାରଣ ଭାବେ ଝିଅଙ୍କୁ ଅନ୍ତିମ ସଂସ୍କାର କରିବାର ଅଧିକାର ମିଳେ ନାହିଁ । ହେଲେ ଯେବେ ଜନ୍ମ କଲା ମା’ ଆରପାରିକୁ ଚାଲିଗଲା, ନିଜକୁ ରୋକିପାରିଲେନି ଝିଅମାନେ । କିଏ କ’ଣ କହିବ, ତାକୁ ପଛ କରି ମା’ର ଶେଷଯାତ୍ରାରେ ସାଜିଲେ ବାହକ । ଦୁଇ ପୁଅଙ୍କ ବିନା ଅନ୍ତେଷ୍ଟିକ୍ରିୟା ହୋଇଥିବା ବେଳେ ସେମାନଙ୍କ ବିନା ମା’ର ଦଶାହ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ଚାରି ଝିଅ ।

ସମ୍ବନ୍ଧିତ ଖବର