ବେସ୍‌ମେଣ୍ଟରେ କଟିଲାଣି ୪ ଦିନ, ଆଗକୁ ଆହୁରି ଜଟିଳ ସ୍ଥିତି!

ୟୁକ୍ରେନ୍‌ରେ ଫିସିଥିବା ରାଉରକେଲା ଛାତ୍ରଙ୍କ ଦୁଃଖ ସରୁନି

ରାଉରକେଲା: ୟୁକ୍ରେନ୍‌ରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଆଜି ଖାର୍‌କିଭ୍‌ ସହରରେ ରୁଷ ସେନା ପ୍ରବେଶ କରିସାରିଛି; ଯାହାକି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦୁଃଖକୁ ବହୁଗୁଣିତ କରିଛି। କାରଣ, ୟୁକ୍ରେନରେ ଡାକ୍ତରୀ ଶିକ୍ଷା ପଢ଼ୁଥିବା ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୭ ହଜାର ଭାରତୀୟ ଛାତ୍ରଛାତ୍ରୀ ଖାର୍‌କିଭ୍‌ ସହରରେ ହିଁ ରହୁଛନ୍ତି। ଆଉ ଏମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଛାତ୍ରଛାତ୍ରୀ। ଗତକାଲି କିଛି କ୍ଷଣ ପାଇଁ ବୋମାମାଡ଼ ଥମିବାରୁ ୨/୩ ଜଣ ଛାତ୍ରଛାତ୍ରୀ ସୁପରମାର୍କେଟ୍‌ରୁ ମାସକ ପାଇଁ ରାସନ ସାମଗ୍ରୀ କିଣିନେଇଥିବାବେଳେ ବାକି ଛାତ୍ରଛାତ୍ରୀଙ୍କ ଶୁଖିଲା ଖାଦ୍ୟ କିନ୍ତୁ ଆଜି ଶେଷ ହୋଇଯିବ। ତେବେ ସୋମବାରଠାରୁ ଏମାନେ କ’ଣ ଖାଇବେ? କେମିତି ବଞ୍ଚିବେ? ତାହା ସେମାନଙ୍କୁ ଦୁଶ୍ଚିନ୍ତା ଭିତରକୁ ଠେଲିଦେଇଛି।

ଖାର୍‌କିଭ୍‌ରେ ଫସିରହିଥିବା ଛାତ୍ରଛାତ୍ରୀ ମାନେ ପୃଥକ୍‌ ପୃଥକ୍‌ ଦଳରେ ଅଛନ୍ତି। ଯିଏଁ ଯେଉଁ ହଷ୍ଟେଲ୍‌, ଫ୍ଲାଟ୍‌ରେ ରହି ପାଠ ପଢ଼ୁଥିଲେ, ସେଠାରେ ହିଁ କଏଦ୍‌ ହୋଇରହିଛନ୍ତି। ଗତ ଚାରିଦିନ ହେଲା କେବଳ ଘରର ବେସ୍‌ମେଣ୍ଟ୍‌, ମେଟ୍ରୋ ଷ୍ଟେସନ, ବଙ୍କର୍‌ରେ ରହୁଛନ୍ତି। ଏହି କ୍ରମରେ ଗୋଟିଏ ଦଳରେ ଥିବା ଖାର୍‌କିଭ୍‌ ଜାତୀୟ ମେଡିକାଲ ବିଶ୍ବବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରୀ ଶାଶ୍ବତୀ ସ୍ବାଇଁ, ଶୁଭଶ୍ରୀ ସାହୁ, ପ୍ରିୟଙ୍କା ପଣ୍ଡା ଓ ପ୍ରତୀକ୍ଷା ସାମଲ ହଷ୍ଟେଲ୍‌ର ବେସ୍‌ମେଣ୍ଟ୍‌ ଭିତରେ ହିଁ କାଳାତିପାତ କରୁଛନ୍ତି।

ଯୁଦ୍ଧ ଆରମ୍ଭ ହେବା ଦିନ ସେମାନେ ପାଖାପାଖି ୮ ଲିଟର ଲେଖାଏଁ ପାଣି ଓ କିଛି ଶୁଖିଲା ଖାଦ୍ୟ, ଯଥା-ବିସ୍କୁଟ୍‌, ଚିପ୍‌ସ, ବ୍ରେଡ୍‌, କେକ୍‌ ଆଦି କିଣିଥିଲେ। ବାସ୍‌, ଏହାକୁ ଖାଇ ସେମାନେ ଗତ ୪ ଦିନ ହେଲା ବଞ୍ଚୁଛନ୍ତି। ତେବେ ଆଜି ରାତି ସୁଦ୍ଧା ସେମାନଙ୍କ ପାଣି, ଶୁଖିଲା ଖାଦ୍ୟ ସରିଯିବ। ଏବେ ସେମାନଙ୍କ ପାଖରେ ପାଖାପାଖି ୨ ଲିଟର ପିଇବା ପାଣି, ମାତ୍ର ୨/୩ ପ୍ୟାକେଟ୍‌ ବିସ୍କୁଟ୍‌ ରହିଛି। ରାତ୍ରିଭୋଜନରେ ଏହାକୁ ଖାଇଲାପରେ ସବୁ ଖାଦ୍ୟସାମଗ୍ରୀ ଶେଷ ହୋଇଯିବ।

ଏତଦ୍‌ବ୍ୟତୀତ ଅନ୍ୟ ଛାତ୍ରଛାତ୍ରୀଙ୍କର ମଧ୍ୟ ସମାନ ଦୟନୀୟ ସ୍ଥିତି। ସେମାନଙ୍କ ପାଖରେ ଥିବା ଶୁଖିଲା ଖାଦ୍ୟ ପ୍ରାୟ ସରିବା ଉପରେ। ଏବେ ରୁଷ ସେନା ଖାର୍‌କିଭ୍‌ରେ ପଶିସାରିଥିବାବେଳେ ସହରସାରା କର୍ଫ୍ୟୁ ଜାରି ହୋଇଛି। ଏଣୁ ସୋମବାର ମଧ୍ୟ ଦୋକାନବଜାର ଖୋଲିବାର ସାମାନ୍ୟତମ ସମ୍ଭାବନା ନାହିଁ। ଏଣୁ, ଏଭଳି ସ୍ଥିତିରେ ଏମାନେ କ’ଣ ଖାଇବେ ତାହା, ତାହା ଚିନ୍ତାର ବିଷୟ ପାଲଟିଛି।

ୟୁକ୍ରେନରୁ ରାଉରକେଲାର ଏହି ଛାତ୍ରଛାତ୍ରୀମାନେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ନିଜର ଦୁଃଖଦ କାହାଣୀକୁ କାନ୍ଦିକାନ୍ଦି ଶୁଣାଇଛନ୍ତି। କହିଛନ୍ତି, ଆମେ ରହୁଥିବା ଅଞ୍ଚଳରେ ଗତ ୪ ଦିନ ହେଲା ବୋମାମାଡ଼ ଜାରିରହିଛି। ଏଣୁ ଆମେ ହଷ୍ଟେଲ୍‌ର ବେସ୍‌ମେଣ୍ଟରେ ହିଁ ରହୁଛୁ। ଯେ କୌଣସି ସମୟରେ ବୋମାମାଡ଼ର ଶିକାର ହେବା ଆଶଙ୍କାରେ ରୁମ୍‌କୁ ବି ଯିବା ସମ୍ଭବ ହେଉନି। ଆମ ବେସ୍‌ମେଣ୍ଟରେ ପ୍ରାୟ ୪ ଶହ ଜଣ ଛାତ୍ରଛାତ୍ରୀ ଠେଲାପେଲା ହୋଇ ବସିରହିଛୁ। ତେବେ ୪ ଦିନ ପୂର୍ବେ କିଣିଥିବା ଶୁଖିଲା ଖାଦ୍ୟ ପ୍ରାୟ ସରିବା ଉପରେ। ଏହାପରେ କ’ଣ ଖାଇବୁ, ତାହା ଏବେ ଚିନ୍ତା ବଢ଼ାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର