ତୀର୍ଥଯାତ୍ରା ହେଲା ଶେଷଯାତ୍ରା : ଚାଳକ ସହ ୪ ମୃତ, ୧୧ ଆହତ

ଟ୍ରକ୍ ଧକ୍‌କାରେ ୱିଙ୍ଗର ଚୂରମାର, ପଲଟିଲା ପରିବା ବୋଝେଇ ପିକ୍ଅପ୍

ଛେଣ୍ତିପଦା : ତୀର୍ଥଯାତ୍ରା ପାଲଟିଲା ଅନ୍ତିମ ଯାତ୍ରା। ପଶ୍ଚିମ ଓଡ଼ିଶାରୁ ତୀର୍ଥଯାତ୍ରା ସାରି ନିଜ ଗାଁକୁ ଫେରୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ୫୫ନମ୍ବର ଜାତୀୟ ରାଜପଥ କତଡ଼ା ନିକଟରେ ତୀର୍ଥଯାତ୍ରୀ ୱିଙ୍ଗର ଗାଡ଼ିକୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ଗାଡ଼ିଚାଳକ ସମେତ ୪ଜଣଙ୍କ ‌େଶାଚନୀୟ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି। ଦୁଇ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ବନ୍ତଳା ଥାନା ନନ୍ଦପୁର ଗାଁର ୱିଙ୍ଗର ଗାଡ଼ି ଚାଳକ ସିଲୁ ସାହୁ, ବଲାସି˚ହା ଗ୍ରାମର ତୀଥର୍ଯାତ୍ରୀ ଧରଣୀଧର ପ୍ରଧାନ(୪୫), ଅରୁଣ ସାହୁ(୫୫) ଓ ବଅଁରପାଳ ଥାନା ତୁଳସୀପାଳ ଗ୍ରାମର ଶିବରାମ ସାହୁ(୪୮)।

ରାତି ପ୍ରାୟ ୧ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଲିସର କହିବା ମୁତାବକ, ଗତ ୨ ତାରିଖ ରାତିରେ ଅନୁଗୁଳ ଥାନା ବଲାସିଂହା ଓ ତୁଳସୀପାଳ ଗାଁର ୧୪ଜଣ ଯାତ୍ରୀ ୱିଙ୍ଗର ଗାଡ଼ିରେ ପଶ୍ଚିମ ଓଡ଼ିଶାର ନୃସିଂହନାଥ, ହରିଶଙ୍କର ଆଦି ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ସାରି ଗତକାଲି ରାତିରେ ଘର ମୁହାଁ ହୋଇଥିଲେ। ଘରେ ପହଞ୍ଚିବାକୁ ଆଉ ୩୦କିଲୋମିଟର ରାସ୍ତା ବାକି ଥିଲା। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। କତଡ଼ା ଗୁରୁଣ୍ତିଗୋପାଳ ଉଚ୍ଚ ବିଦ୍ୟାଳୟ ନିକଟରେ ଅନୁଗୁଳରୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରକ୍ (ଓଡି ୦୫ଏଜି-୦୭୭୦) ସହିତ ୱିଙ୍ଗର ଗାଡ଼ି ସାମ୍ନାସାମ୍ନି ଧକ୍କା ହୋଇଥିଲା। ୱିଙ୍ଗର ପଛରେ ଆସୁଥିବା ଏକ ପରିବା ବୋଝେଇ ପିକ୍ଅପ୍ (ଓଡି ୧୭ଏ-୪୨୩୩) ଗାଡ଼ି ମଧ୍ୟ ଟ୍ରକ୍ ସହ ଧକ୍କା ହୋଇ ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ସ୍ଥଳରେ ଧରଣୀଧର, ଅରୁଣ ଓ ଶିବରାମଙ୍କର ‌ ମୃତ୍ୟୁ ହୋଇଥିବା ବେଳେ ପରିବା ବୋଝେଇ ପିକ୍‌ ଅପ୍ ଚାଳକଙ୍କୁ ମିଶାଇ ମୋଟ୍‌ ୧୨ଜଣ ଆହତ ହୋଇଛନ୍ତି। ଖବର ପାଇ ଜରପଡ଼ା ପୁଲିସ ଘଟଣାସ୍ଥଳେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନସରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ରବୀନ୍ଦ୍ର, ବିଶେଶ୍ବର, ବିନୟ, ବିଜୟ ଓ ଗାଡ଼ିଚାଳକ ସିଲୁଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବାଟରେ ଗାଡ଼ିଚାଳକ ସିଲୁ ସାହୁଙ୍କର ମୃତ୍ୟୁ ହୋଇଛି। ପରିବା ବୋଝେଇ ପିକ୍‌ ଅପ୍ ଚାଳକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା। ଏନେଇ ଜରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗସ୍ତ ତିନି ଗାଡ଼ିକୁ ଜବତ କରିବା ସହିତ ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର