ବୋଲଗଡ : ଗତ ସପ୍ତାହରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏଥିରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଆଉ ଜଣଙ୍କର ଝାଡ଼ାବାନ୍ତିରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ୩ଦିନ ମଧ୍ୟରେ ସେହି ପଞ୍ଚାୟତ ଅନ୍ତର୍ଗତ ହରିପୁର ଆଦିବାସୀ ସାହିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଅର୍ଥାତ ଗତ ୩ ଦିନ ମଧ୍ୟରେ ଖଙ୍ଗୁରିଆ ପଞ୍ଚାୟତରେ ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିପରି ଏବେ ବି ୨୦ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୂଚନା ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀଦଳ ଶନିବାର ହରିପୁର ଆଦିବାସୀସାହିରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଛନ୍ତି।

Advertisment

ସୂଚନାରୁ ପ୍ରକାଶ ଯେ, ହରିପୁର ଆଦିବାସୀସାହିରେ ୭୦ଟି ପରିବାରର ୫ଶହରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ଅଧିକାଂଶ ଆର୍ଥିକ ଦୁର୍ବଳଶ୍ରେଣୀର ହୋଇଥିବାରୁ ସେମାନେ ଝାଡ଼ାବାନ୍ତିର ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ଯାଇପାରୁନାହାନ୍ତି। ଫଳ ସ୍ବରୂପ ଗତ ୩ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଗ୍ରାମର ୱାର୍ଡ ମେମ୍ବର ରବି ନାୟକ(୫୨), ତାଙ୍କ ସାନଭାଇ ଅର୍ଜୁନ ନାୟକ(୩୫) ଓ ରବିଙ୍କର ଅଙ୍ଗନବାଡିରେ ପଢୁଥିବା ସାନପୁଅ ପ୍ରସନ୍ନ ନାୟକ(୩)ଙ୍କର ମୃତ୍ୟୁ ଘଟିଛି। ସେମାନେ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ହରିପୁର ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅନ୍ୟମାନେ ହେଲେ ଶଙ୍କର ସ୍ବାଇଁ(୬୦), ତାଙ୍କ ପତ୍ନୀ ବାସଲତା ସ୍ବାଇଁ(୫୦), ରାଜକିଶୋର ସ୍ବାଇଁ (୭୦), ତାଙ୍କ ସ୍ତ୍ରୀ ବୁଦ୍ଧି ସ୍ବାଇଁ(୬୦), ଭାଗବତ ସ୍ବାଇଁ(୬୫),ତାଙ୍କ ବୋହୂ ମନି ସ୍ବାଇଁ(୨୦), କବିର ନାୟକ(୬୦),କୈଳାସ ନାୟକ(୬୨), ତାଙ୍କ ସ୍ତ୍ରୀ ମୁନି ନାୟକ(୫୮), କୈଳାସ ଛାଟୋଇ(୪୫), ଉମାକାନ୍ତ ସ୍ବାଇଁ(୧୫), ସୁକାନ୍ତି ନାୟକ(୪୪), ଲୋଚନ ନାୟକ(୧୦), ଅନିତା ନାୟକ(୨୫), ଚନ୍ଦନ ନାୟକ(୨୭), ଗ୍ରାମ ହାଇସ୍କୁଲରେ ପଢୁଥିବା ନବମ ଶ୍ରେଣୀ ଛାତ୍ର ରାମଜିତ୍ ମୁର୍ମୁ, ଅଷ୍ଟମ ଶ୍ରେଣୀରେ ପଢୁଥିବା ଅଜୟ ହାସଁଦା। ଶନିବାର ଦିନ ଖବର ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମରେ ପହଞ୍ଚି ପରୀକ୍ଷା କରିବାପାଇଁ ପିଇବା ପାଣି ନମୁନା ସଂଗ୍ରହ କରିବା ସହିତ ହାଲୋଜିନ ବଟିକା ,ଆଣ୍ଟି ଡାଇରିଆ ଡ୍ରଗ୍ ,ଓଆରଏସ୍‌ ପାଉଡର ,ବ୍ଲିଚିଂ ପାଉଡର ପ୍ରଭୃତି ବଣ୍ଟନ କରିଛନ୍ତି ଓ ଘର ଘର ବୁଲି ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ପରୀକ୍ଷା କରିଥିଲେ। ଏହି ଟିମରେ ଖୋର୍ଦ୍ଧା ଜିଲ୍ଲା ସଂକ୍ରାମକରୋଗ ବିଭାଗର ଡାକ୍ତର ପ୍ରଫୁଲ୍ଲ କୁମାର ପଣ୍ଡା, ସୁପର ଭାଇଜର ରବୀନ୍ଦ୍ର କୁମାର ସାହୁ, ବାଙ୍କୋଇ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବଳଭଦ୍ର ବେହେରା, ଅଶୁତୋଷ ମହାନ୍ତି, ସୁପରଭାଇଜର ଦୀପକ କୁମାର ମହାନ୍ତି, ବୋଲଗଡ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁଷମା ବେହେରା, ସୁପରଭାଇଜର ମନେନ୍ଦ୍ର ସିଂହ, ଅଙ୍ଗନବାଡ଼ି କର୍ମୀ ସୁରେଖା ସାହୁ, ଆଶାକର୍ମୀ ଗୋଲାପ ନାୟକ, ବ୍ଲକ ସିଡିପିଓ ବନବାସିନୀ ବିଶ୍ୱାଳ, ବିଡିଓ ମଧୁସୂଦନ ବେହେରା, ବିପଏମ ପ୍ରକାଶ ବଳିୟାରସିଂହ, ପୂର୍ବତନ ସରପଞ୍ଚ ଜଳଧର ମହାନ୍ତି, ଗ୍ରାମ୍ୟ ପାଇପ ଓ ଜଳଯୋଗାଣର କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ନଳକୂଅ ବିଶୋଧନ କରିବା ସହିତ ଲୋକମାନଙ୍କୁ ସଚେତନ କରାଇଥିଲେ। ଖଙ୍ଗୁରିଆ ସରପଞ୍ଚ ମଞ୍ଜୁବାଳା ମହାନ୍ତି ମୃତ ୱାର୍ଡ ମେମ୍ବର ରବି ନାୟକ ଓ ତାଙ୍କ ଭାଇ ଅର୍ଜୁନ ନାୟକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୪ହଜାର ଟଙ୍କା ପ୍ରଦାନ କରିଥିବାବେଳେ ପଞ୍ଚାୟତ ପକ୍ଷରୁ ୨ବସ୍ତା ଚାଉଳ ଯୋଗାଇ ଦେଇଥିଲେ। ତେବେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ୨୪ଘଣ୍ଟିଆ କ୍ୟାମ୍ପ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ସଂପୁର ଗ୍ରାମରେ ଗୋବିନ୍ଦପୁର ମୈାଜାର ପ୍ରଫୁଲ୍ଲ ସ୍ବାଇଁ(୫୫)ଗତ ଶୁକ୍ରବାର ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୋଲଗଡ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ସଂପୁର ଗ୍ରାମରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ପ୍ରଥମେ ମୃତ୍ୟୁବରଣ କରିଥିବା ମହିଳା ଝାଡ଼ାବାନ୍ତିରେ ମରି ନାହାନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।

ଏ ସଂପର୍କରେ ଡାକ୍ତର ପ୍ରଫୁଲ୍ଲ କୁମାର ପଣ୍ଡା କହିଛନ୍ତି, ୱାର୍ଡ଼ମେମ୍ବର ରବି ନାୟକଙ୍କର କିଡ୍‌ନି ଖରାପ ଥିଲା, ତେବେ ଫୁଡ୍‌ ପଏଜନିଂ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାନଭାଇ ଜଣେ ମାନସିକ ବିକାରଗ୍ରସ୍ତ, ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ମାତ୍ର ସାଲାଇନ୍ ଛିଡ଼ାଇ ଦେଇ ଘରକୁ ପଳାଇଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ରବି ନାୟକଙ୍କର ସାନ ପୁଅ ପ୍ରସନ୍ନର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି।