ବସ୍‌-ଟ୍ରଲର ମୁହାଁମୁହିଁ : ୪ ମୃତ, ୩ ଗୁରୁତର

ବେତନଟୀ : ଆଜି ବିଳମ୍ବିତ ରାତିରେ ବାଲେଶ୍ବର-ମୟୂରଭଞ୍ଜ ଜାତୀୟ ରାଜପଥ ଆଗ୍ରିଆ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ବସ୍‌ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବାବେଳେ ସଂଖ୍ୟାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଓଡି୦୧ଜେ-୨୨୧୨ କଳ୍ପନା ନାମକ ଯାତ୍ରୀବାହୀ ବସ୍‌ ଭୁବନେଶ୍ବରରୁ ବାରିପଦା ଯାଉଥିବା ବେଳେ ଆଗ୍ରିଆ ନିକଟରେ ଏକ ଟ୍ରଲର ଏନ୍‌ଏଲ୦୨ଏନ୍‌-୫୧୬୨ ସହ ମୁହାମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ହୋଇଥିଲା ଯେ ବସ୍‌ର ଡ୍ରାଇଭର ପଟକୁ ଧକ୍କା ଦେଇ ଟ୍ରଲରଟି ଡାହାଣ ପାର୍ଶ୍ବର ପଛ ସିଟ୍‌ ପର୍ଯ୍ୟନ୍ତ ଟାଣି ନେଇ ଯାଇଥିଲା। ଫଳରେ ଡ୍ରାଇଭର ସିଟ୍‌ ପଛରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଭିତ‌ର ସିଟ୍‌ରେ ଦୁଇଜଣ ପୁରୁଷ ଓ ଜଣେ ମହିଳାଙ୍କ ‌ମୃତ୍ୟୁ ହୋଇଛି। ମୃତକ କିମ୍ବା ଆହତଙ୍କ ପରିଚୟ ଜଣାପଡିନାହିଁ। ଖବର ପାଇ ସ୍ଥାନୀୟ ଲୋକ ଓ ବେତନଟୀ ପୁଲିସ ଗୁରୁତରଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନା ପଠାଇଛନ୍ତି। ଅନ୍ୟପକ୍ଷରେ ପୁଲିସ ମୃତ ଦେହ ଗୁଡିକ ଜବତ ପରି ବ୍ୟବଛେଦ ପାଇଁ ପଠାଇଛି। ବେତନଟୀ ଆଇଆଇସି ପର୍ଶୁରାମ ସାହୁ, ବୈଶିଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା‌ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର