କୋଇଡ଼ା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ଚାରି ଜଣଙ୍କ ମୃତଦେହ ଦେଖିବା ପରେ ଏହି ଅଞ୍ଚଳରେ ଆତଙ୍କର ମାହୋଲ୍ ଖେଳି ଯାଇଛି । ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କୁ ବାହାରେ ପକାଯାଇଛି। ଏହା ଏକ ଦୁର୍ଘଟଣା କି ସେମାନଙ୍କୁ ହତ୍ୟା କରାଯାଇଛି ଏବଂ ସେମାନଙ୍କ ମୃତଦେହକୁ ଟ୍ରାକରେ ଫୋପାଡ଼ି ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତଦେହ ଦେଖିବା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି। ଏହି ଚାରି ଜଣଙ୍କର ମୃତଦେହ କିଏ ତାହା ମଧ୍ୟ ଜଣାପଡ଼ି ନାହିଁ।

Advertisment

ଟ୍ରାକରେ ପଡ଼ିଥିବା ଶବଗୁଡ଼ିକରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ରହିଛି। ଶବକୁ ଅନେକ ଖଣ୍ଡରେ ବିଭକ୍ତ କରାଯାଇଛି। ରେଲୱେ ଟ୍ରାକରେ ପଡ଼ିଥିବା ମୃତଦେହ ମଧ୍ୟରେ ଗୋଟିଏ  ଆଠ ମାସର ଶିଶୁ, ଗୋଟିଏ ଅଢେଇ ବର୍ଷ ଝିଅ ଶବ ମଧ୍ୟ ଅଛି। ୧୫ ମିଟର ଦୂରରେ ଜଣେ ମହିଳାଙ୍କ ମୃତଶରୀର ମଧ୍ୟ ଅଛି, ଯାହାର ହାତ ଓ ଗୋଡ଼ ବନ୍ଧା ଯାଇଥିଲା ଏବଂ ତାଙ୍କ ଶରୀରକୁ ଦୁଇ ଭାଗରେ କାଟି ଦିଆଯାଇଥିଲା। ଜଣେ ଯୁବକଙ୍କର ମୃତଦେହ ମଧ୍ୟ ପଡି ରହଛି, ଯାହାର ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇଯାଇଥିଲା।

ଡିଏସପି ରାକେଶ ମିଞ୍ଜ ଓ ରେଳବାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଫରେନସିକ୍ ଟିମ୍ ଡକାଯାଇଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ପୁଲିସ ମୃତଦେହ ଚିହ୍ନଟ କରିବାରେ ବ୍ୟସ୍ତ ଅଛି।