ଲାଞ୍ଜିଗଡ଼ରେ ଝାଡ଼ାବାନ୍ତି: ୪ ମୃତ, ୧୫ ଗୁରୁତର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ରେ ଝାଡ଼ାବାନ୍ତିରେ ଗତ ମାସକ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୫ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

ଲାଞ୍ଜିଗଡ଼ ବ୍ଲକ୍‌ ଚମ୍ପାଦେଇପୁର ପଞ୍ଚାୟତ ପୁରୁଣାପାଣି ଗାଁରେ ଗତ ୨୦ ତାରିଖ ଦିନ ଝାଡ଼ାବାନ୍ତିରେ ଅନ୍ତ ଦୋରାଙ୍କ ପୁଅ ଲାଇବାନ ଦୋରା (୧୫) ଓ ଝିଅ ଲୋଛନା ଦୋରା (୧୩) ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଉଭୟଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। କିନ୍ତୁ, କେହି ଫୋନ୍‌ ନଉଠାଇବାରୁ ବାଇକ୍‌ରେ ଡାକ୍ତରଖାନାକୁ ନିଆଯାଉଥିଲା। ବାଟରେ ଲାଇବାନଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଲୋଛନା ବେଦାନ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପ୍ରାୟ ମାସକ ତଳେ ଝାଡ଼ାବାନ୍ତିରେ ପୁରୁଣାପାଣି ଗାଁର ଦୁଇ ଜଣ ଶିଶୁ ଏବଂ ଅନ୍ତ ଦୋରାଙ୍କ ପତ୍ନୀ ଆଜରାଲୁ ଦୋରାଙ୍କ ମଧ୍ୟ ମୃତ୍ୟୁ ଘଟିଛି ବୋଲି ଅନ୍ତ ଦୋରା ପ୍ରକାଶ କରିଛନ୍ତି। ସେହିପରି ଛତ୍ରପୁର ପଞ୍ଚାୟତର ବନ ହରିଜନ (୫୦), ବିଜେପୁର ପଞ୍ଚାୟତର ବାଲସର ଗ୍ରାମର ରୁପା ମାଝୀ (୬୦), ଦାସେ ମାଝୀ (୫୫), ସନ୍ଦରା ମାଝୀ (୨୦), ଶ୍ୟାମ ମାଝୀ (୧୭) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବେଦାନ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବାଲସରା ଗାଁର ୧୨ରୁ ଅଧିକ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଏ ଅଞ୍ଚଳରେ ଗତ ୧୫ ଦିନରୁ ଅଧିକ ହେଲା ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର