୩ ଦୁର୍ଘଟଣାରେ ୪ ମୃତ

ଯାଜପୁରସଦର/ବିଂଝାରପୁର/ରସୁଲପୁର : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଆଜି ୪ଟି ଅମୂଲ୍ୟ ଜୀବନ ଚାଲିଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ସଂପର୍କୀୟ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଦୁହେଁ ହେଲେ କୁଆଖିଆ ଥାନା ପ୍ରଥମାଖଣ୍ଡ ପଞ୍ଚାୟତ ଦମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା (୧୫)। ଦୁହେଁ ଏକ ସ୍କୁଟରରେ ଆଜି ଜାରକାରୁ ଘରକୁ ଫେରୁଥିଲେ। ଏହି ସମୟରେ ବାରବାଟୀ ଛକ ନିକଟରେ ଏକ ଅଜଣା ଗାଡ଼ି ଦୁହିଁଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶୁଭ୍ରା ସମ୍ଭାବନାଙ୍କର ମୃତ୍ୟୁ ଘଟିଥିଲା। ରଂଜିତଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଟକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଧର୍ମଶାଳା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେମାନଙ୍କୁ ଧକ୍କା ଦେଇଥିବା ଗାଡ଼ିର ସନ୍ଧାନ ମିଳିନାହିଁ।

ସେହିପରି ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଆଜି ଭୋର ସମୟରେ ଏକ ଅଟୋ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।  ମୃତବ୍ୟକ୍ତି କୁଆଖିଆ ଥାନା ସିଂହାପୁର ଅଞ୍ଚଳର କାଳିଆ ବେହେରା ବୋଲି ଜଣାପଡ଼ିଛି। ଅଟୋଟି ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ ଅଭିମୁଖେ ଯାଉଥିଲା। ଚଣ୍ଡିଖୋଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ଅଟୋ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ କାଟି ମୃତଦେହକୁ ବାହାର କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ବଡ଼ଚଣା ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସେହିପରି ବିଂଝାରପୁର ଥାନା ଶାସନ୍ଦା ଗ୍ରାମରେ ଘର ଆଗ ଦାଣ୍ଡରେ ଖେଳୁଥିବା ୬ ବର୍ଷର ଶିଶୁପୁତ୍ର ଉପରେ ଟ୍ରକ ଚଢ଼ିଯାଇଛି। ମୃତ ଶିଶୁ ଅମିର ଖାଁଙ୍କ ପୁଅ ସୁଫିୟାନ୍ ଖାଁ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଂଝାରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର