ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ବରଡ଼ିପଲ୍ଲୀ ଗ୍ରାମର ଦେବ ପ୍ରଧାନଙ୍କ ପୁଅ ଶିବରାମ (୨୩) ଓ ଅଭି ପ୍ରଧାନଙ୍କ ପୁଅ ପ୍ରଭାକର (୨୨) ପଞ୍ଚ ଠାକୁରାଣୀ ଯାତ୍ରା ଦେଖି ବାଇକରେ ଘରକୁ ଫେରୁଥିଲେ। ବାଟରେ ଏକ କାର୍ ହେଡ୍ଲାଇଟ୍ ପଡ଼ିବାରୁ ଦେଖି ନପାରି ରାସ୍ତାକଡ଼େ ଡ୍ରେନ୍ କାମ ପାଇଁ ଥିବା ମେଟାଲ୍ ଗଦାରେ ବାଇକ୍ ଚଢ଼ିଗଲା। ଘଟଣାସ୍ଥଳରୁ ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଶିବରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଭାକରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ବାଇକ୍ ଓ ଶବ ଜବତ କରି ଆଜି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ବାଇକ୍-ପିକଅପ୍ ଧକ୍କା, ଦମ୍ପତି ମୃତ
ମୋହନା : ଏହି ଥାନା ଅନ୍ତର୍ଗତ ଲୁହାଗୁଡ଼ି ପ˚ଚାୟତର ମଧୁରଆମ୍ବ ଏବ˚ ପୋଡାଶଙ୍ଖ ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତାରେ ମୋହନା ପଟୁ ଯାଉଥିବା ପିକଅପ୍ ଭ୍ୟାନ ସହ ମୋହନା ଆସୁଥିବା ବାଇକ୍ର ରାତି ପ୍ରାୟ ୮ଟା ୪୦ ମିନିଟ ସମୟରେ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ, ନୂଆଗଡ଼ ବ୍ଳକ ଡେକାପଲ୍ଲୀ ଗ୍ରାମର ବାଇକ୍ ଚାଳକ ମନୋଜ କୁମାର ନାୟକ(୨୬) ଓ ତାଙ୍କ ସ୍ତ୍ରୀ ମାଧୁରୀ ନାୟକ (୨୨) ଗୁରୁତର ଆହତ ହୋଇଥିଲେ। ମୋହନା ପୁଲିସ ଘଟଣାସ୍ଥଳରେ ପହଁଚି ଆହତଦ୍ବୟଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ, ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।