ଦୁର୍ଘଟଣାରେ ୪ ମୃତ

ବଡ଼ଗାଁ : ସୋମବାର ଭୋରରେ ବିଜୁ ଏକ୍ସପ୍ରେସ୍‌ ୱେର ଗରିଆମାଲ ଛକରେ ବାଇକ୍‌-ଟ୍ରକ୍‌ ଧକ୍କାରେ ୨ ଜଣ ବୋଲ୍‌ବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ସମ୍ପର୍କରେ କକା ଓ ପୁତୁରା। ବଡ଼ଗାଁ ପୁଲିସ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାର ତଦନ୍ତ କରୁଛନ୍ତି। କୁତ୍ରା ବ୍ଲକ୍‌ ପଞ୍ଚରା ମଝିପଡ଼ା ବାସିନ୍ଦା ସିପ ରଣା(୪୭) ଓ ଅର୍ଜନ ରଣା (୩୩) ବେଲସରା ଶିବ ମନ୍ଦିରରେ ପାଣି ଢାଳି ଘରକୁ ଫେରୁଥିବା ବେଳେ ବଡ଼ଗାଁରୁ ୪ କି.ମି ଦୁର ଗାରିଆମାଳ ଠାରେ ବିଜୁ ଏକ୍ସପ୍ରେସ୍‌ ୱେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ତାଙ୍କ ବାଇକ୍‌ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ବଡ଼ଗାଁ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ।

ଜାମୁବଣିରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ବାଇକ୍ ଧକ୍କା, ଦୁଇ ମୃତ

ବନ୍ତଳା : ଅନୁଗୁଳ ବ୍ଲକ୍ ପୁରୁଣାକୋଟ ଥାନା ହିଡ଼ିସିଙ୍ଗ ଜାମୁବଣିଠାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ହିଡ଼ିସିଙ୍ଗ ଗ୍ରାମର ପ୍ରତାପ ପ୍ରଧାନ(୩୦) ଏକ ବାଇକ୍ ଯୋଗେ କରତପଟା ଅଞ୍ଚଳକୁ ଆସୁଥିବା ବେଳେ ସେହି ଗ୍ରାମର ମଙ୍ଗଳୁ ପଧାନ (୨୫) ଓ ଦୀପୁ ପଧାନ (୨୨) କରତପଟାରୁ ହିଡିସିଙ୍ଗ ଗାଁ’କୁ ଯାଉଥିଲେ। ହିଡ଼ିସିଙ୍ଗ ନିକଟ ଜାମୁବଣିଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ୩ ବାଇକ୍ ଆରୋହୀ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଦୀପୁଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳୁ ଓ ପ୍ରତାପ ଗୁରୁତର ଆହତ ହୋଇଥିଲେ। ଆହତଦ୍ବୟଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ପ୍ରତାପଙ୍କ ମୃତ୍ୟୁ ଘଟିଥିଲା। ପୁରୁଣାକୋଟ ପୁଲିସ ଦୁଇ ଯୁବକଙ୍କ ଶବ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର