ଗଞ୍ଜାମ, ଗଜପତିରେ ସଡ଼କ ଦୁର୍ଘଟଣା ନେଲା ୪ ନେଲା ଜୀବନ, ଜଣେ ଗୁରୁତର 

ମୋହନା/ଗୋଳନ୍ଥରା/ପାତ୍ରପୁର : ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ସଡ଼କ ଦୁର୍ଘଟଣା‌ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ନିକଟରେ ଆଜି ବାଇକ୍‌-କାର୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, ମୋହନା ବ୍ଲକ୍ ମାଣ୍ଡିମେରା ପଞ୍ଚାୟତ ବିକ୍ରମପୁର ଗ୍ରାମର ସୁଜିତ୍‌ ବର୍ଦ୍ଧନ ଏବ˚ ଜାକବ୍ ବର୍ଦ୍ଧନ। କାର୍‌ଟି ମୋହନାରୁ ଅଡ଼ବା ଯାଉଥିବା ସମୟରେ ଲୁଦୁପଙ୍କା ନିକଟରେ ବିପରୀତ ପଟୁ ଆସୁଥିବା ସୁଜିତ୍ ଓ ଜାକବ୍‌ଙ୍କ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ହିଁ ସୁଜିତ୍ ପ୍ରାଣ ହରାଇଥିବା ବେଳେ ମୋହନା ଡାକ୍ତରଖାନାରେ ଜାକବ୍‌ଙ୍କ ମୃତ୍ୟୁ ହୋଇଥିଲା। ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ କାର୍ ଜବତ କରିଛି। ଏନେଇ କେସ୍ ନମ୍ବର ୧୧୫/୨୨ ଅନୁସାରେ ମାମଲା ରୁଜୁ ହୋଇଥିବା ଥାନା ଆଇଆଇସି ସୁଜିତ୍‌ କୁମାର ନାୟକ ସୂଚନା ଦେଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ସପଙ୍ଗ ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତି ଦୁଇଟାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ଆନ୍ଧ୍ରପ୍ରଦେଶ କାଞ୍ଚିଲି ଥାନା ରେଖାଦେଇପୁର ଗ୍ରାମର କେ.ଭାସ୍କର (୧୮)। ଏଥିରେ ତାଙ୍କ ଉକ୍ତ ଗ୍ରାମର ପି.ସୁରେଶ (୨୨) ଗୁରୁତର ହୋଇଥିବା ବେଳେ ପାତ୍ରପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ କେ.ନୂଆଗାଁରୁ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପଛରେ ଆସୁଥିବା ଆତ୍ମୀୟମାନେ ସେମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଭାସ୍କରଙ୍କୁ ମୃତ ଘୋଷଣା କରାଯାଇଥିଲା। ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗୋଳନ୍ଥରା ଥାନା ଅଧୀନ କନିଷି ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମର ହିରମ୍ବ ଦାସ (୨୧)। ହିରମ୍ବ ଗୋଳନ୍ଥରା ଥାନା ରାଳବ ଗ୍ରାମରେ ଭଉଣୀଙ୍କ ଘରେ ରହି କନିଷି ହାଟରେ କାମ କରୁଥିଲେ। ଗତକାଲି ରାତିରେ ସେ ଜଣେ ବନ୍ଧୁଙ୍କ ଘରକୁ ଭୋଜି ଖାଇବାକୁ ପଳାଇଥିଲେ। ଆଜି ସକାଳେ ସେଠାରୁ ଫେରୁଥିବା ସମୟରେ କନିଷି ନିକଟରେ ଏକ ଗାଡ଼ି ଧକ୍କା ଦେଇ ପଳାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗୋଳନ୍ଥରା ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି।

ସମ୍ବନ୍ଧିତ ଖବର