କେନ୍ଦୁଝର: ୨୦ ନମ୍ବର ଜାତୀୟ ରାଜପଥର ବଡ଼ପଶିଠାରେ କାର୍‌ ଏବଂ ହାଇୱା ମଧ୍ୟରେ ଧକ୍କା ହେବାରୁ ଘଟଗାଁ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ଦୁର୍ଘଟଣା ଘଟିଥିବା ସ୍ଥାନରେ କୌଣସି ସତର୍କ ସୂଚନାଫଳକ ନଥିଲା। ଯେଉଁଥିପାଇଁ ଏଭଳି ଦୁର୍ଘଟଣା ଘଟିଲା।  ଏହାଛଡ଼ା ରାସ୍ତା ନିର୍ମାଣରେ ବିଳମ୍ବ କରୁଥିବା ସତ୍ତ୍ବେ ଠିକାସଂସ୍ଥା ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ କୋହଳ ମନୋଭବ ପୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି ଦୁର୍ଘଟଣା ପାଇଁ ଉଭୟ ଠିକାସଂସ୍ଥା ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ‌ସେ ନିବେଦନ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତକାଲି ଏହି ଘଟଣାରେ ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଏଏସ୍ ରାଓ କାମର ତଦାରଖ ଦାୟିତ୍ୱରେ ଥିବା ଟେକ୍‌ନିକାଲ କନ୍‌ସଲଟାଣ୍ଟ ମେସର୍ସ ବ୍ଲୁମ୍‌ କମ୍ପାନିଜ ଏଲ୍‌ଏଲ୍‌ସି ଆସୋସିଏସନ ଏବଂ ସୁବୁଦ୍ଧି ଟେକ୍‌ନୋ ଇଞ୍ଜିନିୟରିଂ ପ୍ରାଇଭେଟ ଲିଃଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଚନ୍ତି। ୩ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ନିରାପତ୍ତା ପାଇଁ କି ପଦକ୍ଷେପ ନିଆଯାଇଥିଲା ଏବଂ କାହିଁକି ୧୨ଦିନ ଧରି ଗୋଟିଏ ଲେନ୍‌ରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଥିଲେ ମଧ୍ୟ ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇକୁ ଅବଗତ କରାଯାଇନଥିଲା ତାହାର ଉତ୍ତର ଦେବାକୁ କୁହାଯାଇଛି।