ଭଦ୍ରକ ଓ ମୟୂରଭଞ୍ଜରେ ଗୋଟିଏ ଦିନରେ ଗଲା ୪ ଜଣଙ୍କ ପ୍ରାଣ : ପୋଖରୀରେ ବୁଡ଼ିଗଲେ ୨ ବାଳକ, ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଦ୍ରକ/ଶାଳଚୁଆ/କପ୍ତିପଦା : ସୋମବାର ପୃଥକ ପୃଥକ ଘଟଣାରେ ୪ଟି ଅମୂଲ୍ୟ ଜୀବନ ଅକାଳରେ ଝଡ଼ିପଡ଼ିଛି। ସେଥିମଧ୍ୟରୁ ଭଦ୍ରକରେ ୨ ଜଣ ବାଳକ ପାଣିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଠାକୁରାଣୀସାହିଠାରେ ୨ ଜଣ ଯୁବକଙ୍କର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତ ସମିଆ ଗାଁରେ ରଞ୍ଜନ ଧୂପାଳଙ୍କ ପୁଅ ଦେବଦତ୍ତ (୯) ଓ ପାର୍ଥସାରଥୀଙ୍କ ପୁଅ ବିଶ୍ବଜିତ (୧୦)। ଆଜି ଅପରାହ୍ଣରେ ଗାଁ ବିଲରେ ସାଙ୍ଗମାନଙ୍କ ସହ ଦୁଇଜଣ ଖେଳୁ ଖେଳୁ ନିକଟସ୍ଥ ଗଡ଼ିଆରେ ବୁଡ଼ିଯାଇଥିଲେ। ଅନ୍ୟମାନେ ଯାଇ ଗାଁ ଲୋକଙ୍କୁ ଡାକି ଆଣିବାବେଳକୁ ସବୁ ସରିଯାଇଥିଲା। ଉଭୟଙ୍କୁ ଗଡ଼ିଆ ଭିତରୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସମିଆରେ ଦେବଦତ୍ତଙ୍କ ନିଜ ଘର ହୋଇଥିଲା ବେଳେ ବିଶ୍ବଜିତଙ୍କ ଘର ବାସୁଦେବପୁର ବ୍ଲକର ମନ୍ଦାରିରେ। ବିଶ୍ବଜିତଙ୍କ ପାଠପଢ଼ା ପାଇଁ ଏଠାରେ ତାଙ୍କ ବାପା, ମା ଭଡ଼ାରେ ରହୁଥିଲେ।

ସେହିପରି କପ୍ତିପଦା ଥାନା ପାତାସାହି ନିକଟସ୍ଥ ଠାକୁରାଣୀସାହିଠାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ୨ ଜଣ ଯୁବକ ଏକ ବାଇକ୍ ଯୋଗେ ଶରତ ପଟୁ କପ୍ତିପଦାକୁ ଆସୁଥିଲେ। ଠାକୁରାଣୀସାହିଠାରେ ଭାରସାମ୍ୟ ହରାଇ ସେମାନେ ଏକ ଗଛକୁ ଧକ୍କା ଦେଇଥିଲେ। ମୃତ ଯୁବକଦ୍ବୟ ହେଲେ ଉଦଳା ଥାନା ପାଟପୁର ଅଞ୍ଚଳର ଫକୀର ଖଣ୍ଡେଇଙ୍କ ପୁତ୍ର ମନୋଜ ଖଣ୍ଡେଇ (୨୨) ଓ ସେହି ଗ୍ରାମର ସନ୍ତୋଷ ଖଣ୍ଡେଇଙ୍କ ପୁତ୍ର ସୀତମ ଖଣ୍ଡେଇ (୧୮)।

ସମ୍ବନ୍ଧିତ ଖବର