ଭବାନୀପାଟଣା/ ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ହାତୀନଦୀ ପୋଲର ଆପ୍ରୋଚ୍‌ ରାସ୍ତା ଠାରେ ବୁଧବାର ରାତିରେ ରାସ୍ତା କଡ଼ର ଏକ ଗଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୪ ବନ୍ଧୁଙ୍କ ମୃତ୍ୟୁ ଘଟିଛି। କାର୍‌ ଚାଳକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତକ ମାନେ ହେଲେ ଜୁନାଗଡ଼ ସହରସ୍ଥିତ ଲକ୍ଷ୍ମୀସାଗର ପଡ଼ାର ଗଣେଶ ମହାଲିକ(୨୧), ବବଲୁ ମହାଲିକ(୨୧), ଅରୁଣ ସାହୁ(୨୧), କଲେଜ ପଡ଼ାର ରବି ପ୍ରଧାନ(୨୧)। ଆହତ କାର୍‌ ଚାଳକ ଜୁନାଗଡ଼ ବଜାରପଡ଼ାର ଅଭି ବାଗ(୨୦)। ଏହି ଘଟଣାକୁ ନେଇ ଜୁନାଗଡ଼ ସହର ସ୍ତବ୍ଧ ହୋଇଯାଇଛି।

Advertisment

ଉକ୍ତ ୫ଜଣ ଯାକ କାର୍‌ (ଓଡି ୦୮ ବି ୫୧୫୩)ରେ ବୁଧବାର ବିଳମ୍ବ ରାତିରେ ଧର୍ମଗଡ଼ ପଟୁ ଜୁନାଗଡ଼ ଅଭିମୁଖେ ଆସୁଥିଲେ। ଭାରସାମ୍ୟ ହରାଇ କାର୍‌ଟି ହାତୀନଦୀ ପୋଲ ଆପ୍ରୋଚ ରୋଡ଼ ଠାରେ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଚୂର୍‌ମାର୍‌ ହୋଇ ଯାଇଥିଲା। ଗୁରୁବାର ପ୍ରାତଃଭ୍ରମଣରେ ଯାଉଥିବା ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚିଥିଲେ। ଗୁରୁତର ଆହତ ଅଭିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଜୁନାଗଡ଼ ଓ ପରେ ଭବାନୀପାଟଣା ଡାକ୍ତରଖାନା ନିଆ ଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଚାରିଟି ଯାକ ମୃତଦେହ ଜୁନାଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।