ମାଥିଲି: ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଟଳିଥିବା ବେଳେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଅଟାଲଗୁଡ଼ା ଗ୍ରାମର ଦୁଇଜଣ ମହିଳାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ମୃତକ ସୁନାଦେଈ କଟିଆ ଏବଂ କମଳା ନାୟକ ବୋଲି ସୂଚନା ମିଳିଛି। ସେହିପରି ଆଉ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶ୍ୟାମ କଟିଆ (୭୦) ଓ ଦୁରାଗୁଡ଼ା ଗ୍ରାମର ତୁଳସୀ ଭୂମିଆ (୫୫)ଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଅଟାଲଗୁଡ଼ା ଗ୍ରାମର ସୁନାଦେଈ କଟିଆ ଏବଂ କମଳା ନାୟକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସୁନାଦେଈଙ୍କୁ ପ୍ରଥମେ ମାଥିଲି ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ  ପରେ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ କମଳାଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଛି। ଏହାପରେ ଗୁରୁବାର ଦିନ ଅଟାଲଗୁଡ଼ା ଗ୍ରାମର ଶ୍ୟାମ କଟିଆ ଓ ଦୁରାଗୁଡ଼ା ଗ୍ରାମର ତୁଳସୀ ଭୂମିଆ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବର୍ଷାର ପ୍ରକୋପ ଥମିବା ପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଲୋକେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଉଛନ୍ତି। 

ଅପରପକ୍ଷରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଶଯ୍ୟା ଅଭାବ ପଡ଼ୁଛି। ଅନେକ ରୋଗୀଙ୍କୁ ତଳେ ଶୁଆଇ ସାଲାଇନ୍ ଦିଆଯାଉଥିବା ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଖବର ପାଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମାଥିଲି ଡାକ୍ତରଖାନା ପରିଦର୍ଶନ କରିଥିଲେ। ସାଂସଦ ଶ୍ରୀ ମାଝୀ ରୋଗୀଙ୍କୁ ଉଚିତ୍ ଚିକିତ୍ସା ସେବା ଯୋଗାଇଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସିଂହାମୁଣ୍ଡାରେ ୨ ମୃତ, ୨୦ରୁ ଅଧିକ ଆକ୍ରାନ୍ତ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ସିଂହାମୁଣ୍ଡା ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ମଙ୍ଗଳବାର ରାତିରେ ଆକ୍ରାନ୍ତ ହୋଇଥିବା ତ୍ରିନାଥ ଭୋଇ (୩) ଓ ଆଜି ସକାଳେ ଅଭେଲ ବଗର୍ତ୍ତି (୭୦)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିରୀକ୍ଷକ ଡା. ଚିତ୍ତରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶରେ ଡାକ୍ତରୀ ଦଳ ଗାଁକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି।  ଡାକ୍ତରୀ ଦଳରେ ଏମ୍‌ଏଚ୍‌ୟୁ ଡା. ସୁଶାନ୍ତ ମେହେର, ବ୍ୟୁଟି ସାହୁ, ଏଏନ୍‌ଏମ୍‌ ଜ୍ୟୋତି ଭାରତୀ ପାଣିଗ୍ରାହୀ, ଉପମା ନାଗ, ଆଶା ରତ୍ନମଞ୍ଜରୀ ସାହୁ, ଅଙ୍ଗନବାଡ଼ି କର୍ମୀ ଝରଣା ପାତ୍ର,  ସୁପରଭାଇଜର ରାମଶଙ୍କର ଚୌଧୁରୀ, ରବୀନ୍ଦ୍ର ଚିନ୍ଦା, ନୀଳାବତୀ ବରାଲ ପ୍ରମୁଖ ଗାଁରେ କ୍ୟାମ୍ପ କରି ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ ଜଳ ହିଁ ଡାଇରିଆ ବ୍ୟାପିବାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ବର୍ଷକରେ ମାତ୍ର ୨ରୁ ୩ ମାସ ସୋନଗଡ଼ ନଦୀରୁ ଗାଁକୁ ଜଳ ଯୋଗାଣ ହୋଇଥାଏ। ଅନ୍ୟ ୯ ରୁ ୧୦ ମାସ କୂଅ ଓ ନଳକୂପ ହିଁ ଭରସା ପାଲଟିଥାଏ। କନ୍ଧପାଲିପଡ଼ାରେ ୪୭ଟି ପରିବାର ପାଇଁ ଅଛି ମାତ୍ର ୪ଟି ନଳକୂପ, ତନ୍ମଧ୍ୟରୁ ଗୋଟିଏ ଅଚଳ ପଡ଼ିଛି।