ଦନ୍ତା ‌ନେଲା ୪ ଜୀବନ : ଗୋଟିଏ ପରିବାରର ୩ ମୃତ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ରଜାପଡ଼ା ସ୍ବସ୍ତିକନଗରଠାରେ ସୋମବାର ଭୋର୍‌ରେ ଦନ୍ତାହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ଜଣଙ୍କୁ ମିଶାଇ ୪ଜଣଙ୍କ ମୃତ୍ୟୁ ଘଟିଛି। ସମଗ୍ର ଅଞ୍ଚଳରେ ଲକ୍‌ଡାଉନ୍‌ ଥିବା ବେଳେ ସହରାଭିମୁଖୀ ହୋଇଥିବା ଦନ୍ତାହାତୀଟି ଏଭଳି ଆକ୍ରମଣ କରିଛି। ମୃତକମାନେ ହେଲେ ରଜାପଡ଼ାର ଦ୍ବାରିକାନାଥ ପାଣ୍ଡେ (୭୫), ତାଙ୍କ ପୁଅ ମଲେଇ ପାଣ୍ଡେ , ନାତି ଚିଣ୍ଟୁ(୭) ଓ ବାଜେନମୁଣ୍ଡାର ହେମସାଗର ସାହା(୫୦)।

ସୂଚନା ମୁତାବକ, ଏହି ବଣୁଆ ହାତୀ ଭୋର୍‌ ସମୟରେ ରଜାପଡ଼ାରେ ପ୍ରବେଶ କରିଥିଲା। ପାଣ୍ଡେ ପରିବାରଙ୍କ ଘର କାନ୍ଥ ଭାଂଗି ଧାନ ଖାଇବାକୁ ଲାଗିଥିଲା। ଘରେ ଥିବା ଭିନ୍ନକ୍ଷମ ଦ୍ବାରିକାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ସେଠାରେ ଶୋଇଥିବା ମଲେଇ ଏବଂ ତାଙ୍କ ପୁଅ ଚିଣ୍ଟୁ ଖସି ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଦନ୍ତା ସେମାନଙ୍କ ମଧ୍ୟ ଆକ୍ରମଣ କରି ମାରି ଦେଇଥିଲା। ତେବେ ଦ୍ବାରିକାଙ୍କ ଅନ୍ୟ ପୁଅ ରାମଧନ, ‌ବୋହୂ ଦଶମତୀ, ମଲେଇଙ୍କ ସ୍ତ୍ରୀ ସୁକାନ୍ତିଙ୍କ ସମେତ ୪ଜଣ ନାତିନାତୁଣି ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ଦୀର୍ଘ ଘଣ୍ଟାଏ ଧରି ଗାଁରେ ଦନ୍ତାର ଉତ୍ପାତ ଜାରି ରହିଥିଲା। ପରେ ଦନ୍ତାଟି ବୁବୁଡ଼ା ଓ ଚିତାଖୋଲ ଗ୍ରାମରେ ବି ଘର ଭାଙ୍ଗିଥିଲା। ବାଜେନମୁଣ୍ଡାଠାରେ ମହୁଲ ଗୋଟାଇ ଫେରୁଥିବା ହେମସାମଗରଙ୍କୁ ବାଟରେ ଦଳି ଦେଇଥିଲା। ଏହି ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଦନ୍ତାର ଗତିବିଧି ଉପରେ ବନବିଭାଗ ନଜର ରଖିଛି। ବରିଷ୍ଠ ପ୍ରଶାସନିକ, ପୁଲିସ୍‌ ଏବଂ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ତନାଘନା କରିଛନ୍ତି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର