ସୁକିନ୍ଦା/ଢିଙ୍କିକୋଟ୍, ୨୨/୬ (ଇମିସ) : ବଜ୍ରାଘାତ ଯୋଗୁଁ ଆଜି ୪ଜଣ ପ୍ରାଣ ହରାଇଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ପଲାଶଖଳି, ବିରିଗଡ଼ା ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ୨ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗଡ଼ା ଗ୍ରାମର ଜଙ୍ଗା ମୁଣ୍ଡାଙ୍କ ପୁଅ ଆକାଶ(୧୪) ଓ ପଳାଶଖଳି ଗ୍ରାମର ସ୍ବର୍ଗତ ରଘୁନାଥ ସଏଙ୍କ ପତ୍ନୀ ଶାନ୍ତି ଏବଂ ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା ଓ ବିନତି ମୁଣ୍ଡା।
ଆଜି ଅପରାହ୍ଣ ୩ଟା ବେଳେ ସୁକିନ୍ଦା ଅଞ୍ଚଳରେ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ଏହି ସମୟରେ ବିରିଗୋଡ଼ା ଗ୍ରାମର ଆକାଶ ମୁଣ୍ଡା ଛେଳି ଚରାଉଥିଲେ। ବଜ୍ରାଘାତରେ ଆକାଶ ଓ ତାଙ୍କ ଛେଳି ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଆକାଶଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁକିନ୍ଦା ପୁଲିସ ୧୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲା। ସେହିପରି ପଳାଶଖଳିର ଶାନ୍ତି ସଏ ବିଲକୁ ଯାଇ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଶାନ୍ତିଙ୍କୁ ମୃତ ଘୋଷଣା କରିଥିଲେ। ଥାନା କେସ୍ ନମ୍ବର ୧୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ଉଭୟଙ୍କର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ଅଧିକାରୀ ହରିଶ ଚନ୍ଦ୍ର ସିଂ ସୂଚନା ଦେଇଛନ୍ତି।
ସେହିପରି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା (୬୫) ଓ ବିନତି ମୁଣ୍ଡା (୩୫)। ଆଜି ଅପରାହ୍ଣରେ ହୀରାମଣି ଓ ବିନତି ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଥିଲା। ଦୁଇଜଣ ଜଙ୍ଗଲରେ ଏକ ପଥର ଖୋଲରେ ଆଶ୍ରୟ ନେଇଥିଲେ। ବଜ୍ରାଘାତରେ ଉଭୟ ସେଠାରେ ଟଳି ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/3-19.jpg)