ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୪ ଜୀବନ, ୨ ଗୁରୁତର

ଭୁବନେଶ୍ବର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବ୍ରଜପାତ ହୋଇଛି। ଏଥିରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ‌ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ତମାମୁରା, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ପନସଗାଡ଼ିଆ, ‌ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଧିନ ବାଇସିଙ୍ଗା ଓ ବୌଦ୍ଧରେ ବଜ୍ରପାତ ହୋଇଛି।

ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଗୋବିନ୍ଦପୁରର ପଞ୍ଚୁ ମୁଖୀ(୫୫)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାମତେ ଆଜି ଅପରାହ୍ନରେ ବର୍ଷା ହେଉଥିବା ବେଳେ ପଞ୍ଚୁ ନିଜ ବଳଦକୁ ମଧୁପୁର ଛକ ପଟକୁ ଖୋଜି ଆସିଥିଲେ। ନିଜ ଘରକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ତଳେ ପଡିଯାଇଥିଲେ। ରାସ୍ତାରେ ଯାଉଥିବା ଲୋକ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ଶବ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଡୁଙ୍ଗୁରିପାଲି ଥାନା ତମାମୁରା ଗ୍ରାମରେ ବଜ୍ରପାତ ହେବାରୁ ଇନ୍ଦ୍ର ବେରିଆ (୨୭)ଙ୍କ ମୃତ୍ୟୁ ହୋଇଥିବା ବେଳେ ଚନ୍ଦ୍ର ସେଠ୍‌ (୫୨) ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଇନ୍ଦ୍ର ଏକ ଛାତ ଉପରେ ବସି କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା।

କାଳବୈଶାଖୀ ବର୍ଷା ପ୍ରଭାବରେ ହୋଇଥିବା ବଜ୍ରପାତ ଘଟି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ସନ୍ତୋଷ ଦେହୁରୀ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ସନ୍ତୋଷ ନିଜ ଘର ପାଖରେ ଥିବା ଏକ ଦୋକାନକୁ ସଉଦା ଆଣିବାକୁ ଯାଉଥିଲେ। କିନ୍ତୁ ହଟାତ ପ୍ରବଳ ବର୍ଷା ଓ ବଜ୍ରପାତ ହେବା ଯୋଗୁ ସେ ଏକ ସ୍ଥାନରେ ଛିଡା ହୋଇଥିବା ବେଳେ ତାଙ୍କୁ ବଜ୍ରାଘାତ ହୋଇଥିଲା । ସେଠାରେ ଥିବା କିଛି ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର