ଗୋପ: ପୁରୀ ଜିଲ୍ଲାରେ ବଜ୍ରପାତ ନେଇଛି ଦୁଇ ଜୀବନ। ଜେଜେ ମା’ର ଦଶତୁଠକୁ ଶୁଦ୍ଧି ହେବାକୁ ଯିବା ସମୟରେ ବଜ୍ରପାତ ଘଟି ନାତୁଣୀର ଜୀବନ ଚାଲିଯାଇଥିବା ବେଳେ ଘର ନିକଟ ଏକ ପଡ଼ିଆରେ ଛେଳି ଚରାଉଥିବା ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଦୁଇ ଜଣ ହେଲେ ପୁରୀ ଜିଲ୍ଲା ଗୋପ ଥାନା ଏରବଙ୍ଗ ପଞ୍ଚାୟତ ଡିହସାହି ଗ୍ରାମର ସରସ୍ୱତୀ ସ୍ୱାଇଁ (୧୮) ଓ ସେହି ଗ୍ରାମର ରୀନା ଭୋଇ (୩୬)।

Advertisment

ସୂଚନା ମୁତାବକ ରବିବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଗୋପରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଡିହସାହି ଗ୍ରାମର ଟୁକୁନା ସ୍ବାଇଁଙ୍କ ଝିଅ ସରସ୍ବତୀ ପରିବାର ସହ ତାଙ୍କ ଜେଜେ ମା’ଙ୍କ ଦଶାହ ତୁଠକୁ ଯିବାବେଳେ ହଠାତ୍ ବଜ୍ରପାତ ହେବାରୁ ସରସ୍ବତୀ ସେଠାରେ ଟଳି ପଡ଼ିଥିଲେ। ସେହିପରି ଉକ୍ତ ଗ୍ରାମର ରୀନା ଭୋଇ ନାମକ ଆଉ ଜଣେ ମହିଳା ପଡ଼ିଆରେ ଛେଳି ଚରାଉଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଉଭୟଙ୍କୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ର ପୃଥକ୍‌ ସ୍ଥାନରେ ଆଜି ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ବୈପାରିଗୁଡ଼‌ା ବ୍ଲକ୍‌ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଗଦରିପଦର ଗ୍ରାମର କୁମାରୀ ବଡ଼ଗାଇ (୨୦) ଆଜି ସଂଧ୍ୟାରେ ପୁତୁରାକୁ ଖଟରେ ଶୁଆଇ ଅନ୍ୟ ଗୋଟିଏ କୋଠରିକୁ ଯାଉଥିଲେ। ଏହି ସମୟରେ ଘ‌ର ଉପରେ ବଜ୍ରପାତ ହୋଇଥିଲା। ତେଣୁ ଛିଟିକି ପଡ଼ି ଅଚେତ ହୋଇଥିଲେ କୁମାରୀ। ପରିବାର ଲୋକ ଦେଖିବା ପରେ ତୁରନ୍ତ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା କରି ଡାକ୍ତର ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ବୈପାରିଗୁଡ଼ା ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଦୋରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବେରଗାଁରେ ମଧ୍ୟ ସନ୍ଧ୍ୟା ପ୍ରାୟ ୫ଟାରେ ବଜ୍ରପାତ ହୋଇଥିଲା। ବି.ସିଂହପୁର ଥାନା ଅନ୍ତର୍ଗତ ମାଙ୍କିଡ଼ିଅଟାଳ ଗାଁର ଜେସିବି ହେଲପର ଜଗନ ପାଇକ (୨୦)ଙ୍କ ଏଥିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାମ ସରିବା ପରେ ଜଗନ ଗାଧୋଇବା ପାଇଁ ନିକଟସ୍ଥ ନାଳକୁ ଯାଇଥିଲେ। ବଜ୍ରପାତ ହେବାରୁ ତରବର ହୋଇ ଜେସିବି ମେସିନ୍‌ ନିକଟକୁ ଫେରିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।