୨ଟି ଦୁର୍ଘଟଣାରେ ୪ ମୃତ : କଣ୍ଟାନାଳିରେ ଯୁବକ ଯୁବତୀ, ଭଗବାନପୁରରେ ଦୁଇ ମହିଳା

ଢେଙ୍କାନାଳ : ସହରର ଦୁଇ ପୃଥକ୍‌ ପୃଥକ୍‌ ସ୍ଥାନରେ ଆଜି ଦୁଇଟି ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁ ଘଟିଛି। ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟାନାଳି ବାଇପାସ୍ ଠାରେ ଆଜି ଅପରାହ୍ଣରେ ଏକ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ-ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିପରି ସହରର ଭଗବାନପୁରଠାରେ ସଂଧ୍ୟାରେ ଏକ ବାଲି ବୋଝେଇ ଟିପର ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ମାଡ଼ିଯିବାରୁ ବାରଣ୍ଡାରେ ବସିଥିବା ଦୁଇ ଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଭଗବାନପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଜନତା ଶବ ରଖି ରାସ୍ତା ଅବରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ସହାୟତା ରାଶି ପ୍ରଦାନ ପରେ ରାସ୍ତା ଅବରୋଧରୁ ଲୋକେ କ୍ଷାନ୍ତ ହୋଇଥିଲେ।

ସୂଚନା ଅନୁଯାୟୀ, ସଦର ବ୍ଲକ ବଣସିଂହ ପଂଚାୟତ ରାଧାଦେଈପୁର ଗ୍ରାମର ପୀତବାସ ରାଉତଙ୍କ ଝିଅ ଇତିଶ୍ରୀ ରାଉତ (୨୪) ଆଜି ଓଡ଼ାପଡ଼ା ବ୍ଲକ ସିମିନଇରେ ବିବାହ କରିଥିବା ବଡ ଭଉଣୀ ଅଳକାଙ୍କ ଘରକୁ ସାବିତ୍ରୀ ଭାର ନେଇ ଆସିଥିଲେ। ମୋଟଙ୍ଗା ଥାନା ଏକଘରିଆ ଗ୍ରାମର ଗତିକୃଷ୍ଣ ସ୍ୱାଇଁଙ୍କ ପୁଅ ଅମରଜ୍ୟୋତି ସ୍ୱାଇଁ (୨୭)ଙ୍କ ସହ ଇତିଶ୍ରୀ ଏକ ବାଇକ୍‌ରେ ଢେଙ୍କାନାଳ ଆଡ଼େ ଆସୁଥିବା ବେଳେ ସହରର କଣ୍ଟାନାଳି ବାଇପାସ୍ ଠାରେ ଏକ ଟ୍ରକ୍‌ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅମରଜ୍ୟୋତିଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଇତିଶ୍ରୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରିଥିଲା। କିଛି ସମୟ ପରେ ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେହିପରି ଭଗବାନପୁର ଗ୍ରାମର ବିକାଶ ସାହୁଙ୍କ ପତ୍ନୀ ଅଶାନ୍ତି ସାହୁ(୪୦) ଓ ପଡ଼ୋଶୀ ସ୍ୱର୍ଗତ ରାଜକିଶୋର ବେହେରାଙ୍କ ପତ୍ନୀ ଚିନା ବେହେରା(୭୦) ଅଶାନ୍ତିଙ୍କ ଘର ବାରଣ୍ଡାରେ ଆଜି ସଂଧ୍ୟା ପ୍ରାୟ ସାଢେ ୬ଟାରେ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଏକ ବାଲି ବୋଝେଇ ଟିପର ଭାରସାମ୍ୟ ହରାଇ ତାଙ୍କ ଘର ଆଡକୁ ମାଡ଼ି ଆସିଥିଲା। ଚାହୁଁ ଚାହୁଁ ବାରଣ୍ଡାରେ ବସିଥିବା ଉଭୟ ମହିଳାଙ୍କୁ ଟିପରଟି ଚାପିଦେଇ ଘର ଭିତରକୁ ପଶିଯାଇଥିଲା। ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର