ପୃଥ୍‌କ ଦୁର୍ଘଟଣା ବାପା ଝିଅ ସମେତ ୪ ମୃତ

ବାଲିଗୁଡା : ବାଲିଗୁଡା ପାଇଁ ଆଜି ଥିଲା ଦୁର୍ଘଟଣାର ଦିନ। ଗୋଟିଏ ରାସ୍ତାରେ ତିନିଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ସେଥି ମଧ୍ୟରୁ ଦୁଇଟି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ବାପା ଓ ତାଙ୍କ ଝିଅ ରହିଛନ୍ତି।

ଜକିକିଆଠାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାପ ଝିଅଙ୍କ ମୃତ୍ୟୁ ହୋଇଥିବା‌ ବେଳେ ଅନ୍ୟ ବାଇକ୍‌ର ଚାଳକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିପ୍ର ଚରଣ ସାହୁ(୪୦), ଝିଅ ରାଜଲକ୍ଷ୍ମୀ ସାହୁ(୧୦) ଓ ତାଙ୍କ ସ୍ତ୍ରୀ ରଶ୍ମିତା ସାହୁ କୋଟଗଡ ବ୍ଲକ୍‌ର ପାରିଗଡ ଶ୍ବଶୁର ଘରକୁ ଏକ ଲୁନା (ଓଡି ୧୨ଏ-୦୭୫୧) ଯୋଗେ ଯାଇ ନିଜ ଗାଁ ସାରଙ୍ଗଡ଼ର ସଲାଗୁଡାକୁ ଫେରିବା ସମୟରେ ସମ୍ମୁଖରୁ ଆସୁଥିବା ବାଇକ୍‌(ଓଡି୧୨ସି-୩୭୨୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ବିପ୍ରଚରଣ ଓ ଝିଅ ରାଜଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ରଶ୍ମିତା ସାହୁ ଓ ଅନ୍ୟ ବାଇକ ଚାଳକ ଉତ୍ସବ ମଳିକଙ୍କୁ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ତ ଚିକିତ୍ସାଳୟକୁ ନେଇଥିଲା। କିନ୍ତୁ ଏହି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରାଇ ତୁରନ୍ତ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବାଇକ୍‌ ଚାଳକ ଉତ୍ସବଙ୍କ ମୃତ୍ୟୁ ହୋଇଯାଇଥିଲା।

ସେହିପରି ଜାତୀୟ ରାଜପଥ ୫୯ରେ ବାଲିଗୁଡ଼ା ଠାରୁ ତୁମୁଡିବନ୍ଧ ଯାଉଥିବା ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ ତଗାକିଆ ନିକଟରେ ଗାଧେଇବାକୁ ଯାଉଥିବା ଜଣେ ବୃଦ୍ଧକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରହଲ୍ଲାଦ ମଳିକ(୯୦) ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଥିବା ପ୍ରହଲ୍ଲାଦଙ୍କୁ ତାଙ୍କ ପରିବାର ଲୋକେ ଉପଖଣ୍ତ ଚିକିତ୍ସାଳୟ ବାଲିଗୁଡ଼ାକୁ ଆଣିଥିଲେ। କିନ୍ତୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଏକ ଘଟଣାରେ ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର(ଓଡି ୦୫ଜେ-୫୧୪୧)ଗଦ୍ରିଙ୍ଗିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡ଼ିଛି। କିନ୍ତୁ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ତେବେ, ଓଲଟି ପଡ଼ିଥିବା ଟ୍ୟାଙ୍କରରୁ ଲୋକେ ପେଟ୍ରୋଲ ବୋହି ନେଇଯାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର