ଦୁର୍ଘଟଣାରେ ପରିବାରର ୪ ମୃତ

କଟକ-ଜଗତପୁର/ସାଲେପୁର : କଟକ-ଚାନ୍ଦବାଲି ରାସ୍ତାର ଜଗତ୍‌ପୁର ଥାନା ଅଧୀନ ଅନନ୍ତପୁର ଛକ ନିକଟରେ ଗତକାଲି ଭୋର୍‌ ସମୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପରିବାରର ଅନ୍ୟ ଜଣେ ସଦସ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବୁଧବାର ଭୋର୍‌ ପ୍ରାୟ ୩ଟା ୪୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଜଗତପୁର ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଦୁଇଟି ଗାଡ଼ିକୁ ଜବତ କରିଛି।

ସୂଚନା ଅନୁଯାୟୀ ସାଲେପୁର ଥାନା ଅଧୀନ ପିକୋଳ ପଞ୍ଚାୟତ ସିମଲ୍‌ପଡ଼ା ମୁସ୍‌ଲିମ୍‌ ବସ୍ତିର ସେକ୍‌ ଶେହର ଅଲ୍ଲୀଙ୍କ ପୁଅ ସେକ୍‌ ସିରାଜ୍‌ ବାଙ୍ଗାଲୋରର କୌଣସି ଏକ ପ୍ରତିଷ୍ଠାନରେ କାର୍ଯ୍ୟ କରିବା ପାଇଁ ଯାଉଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ ଛାଡ଼ିବା ପାଇଁ ନିଜ ମାରୁତି ଜେନ୍‌ କାର୍‌ରେ ରାତି ପ୍ରାୟ ୩ଟାରେ ଘରୁ ବାହାରି ଥିଲେ। କାର୍‌କୁ ସେକ୍‌ ସିରାଜ (୨୧) ଚଳାଉଥିବା ବେଳେ ସେଥିରେ ତାଙ୍କର ବାପା ସେକ୍‌ ଶେହେର ଅଲ୍ଲୀ (୪୫), ମା’ ଅଲିଜା ବିବି (୪୦), ପୁତୁରା ସେକ୍‌ ସନୱର୍‌ ଅଲ୍ଲୀ (୨୮), ପୁତୁରା ଆଶିଷ୍‌ ଜମାଲ୍‌ (୩୦) ବସିଥିଲେ। ସେହି ସମୟରେ ଝିପଝିପ୍‌ ବର୍ଷା ଲାଗି ରହିଥିଲା। ଅନନ୍ତପୁରଠାରେ ରାସ୍ତାପାର୍ଶ୍ୱରେ କୌଣସି କାରଣରୁ ଅଟକିଥିବା ଏକ ଟ୍ରକ୍‌କୁ ଦେଖି ନ ପାରି ତା’ ପଛପଟେ କାର୍‌ଟି ପିଟି ହୋଇ ଯାଇଥିଲା। କାର୍‌ଟି ସମ୍ପୂର୍ଣ୍ଣ ଚୂରମାର୍‌ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବାପା, ମା’, ପୁଅର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ପୁତୁରା ସେକ୍‌ ସନୁୱର୍‌ଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେକ୍‌ ସନୱର୍‌ଙ୍କ ଚିକିତ୍ସାରତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ସେକ୍‌ ଆଶିଷ ଜମାଲ୍‌(ବଣ୍ଟି)ଙ୍କୁ ଜଗତ୍‌ପୁରର ଏକ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଜଗତ୍‌ପୁର ପୁଲିସ୍‌ ଦୁର୍ଘଟଣାଗ୍ରସ୍ଥ ଟ୍ରକ୍‌ ଓ କାର୍‌କୁ ଜବତ କରିଛି ବୋଲି ଆଇ.ଆଇ.ସି. ବିରଞ୍ଚ ନାରାୟଣ ପତି ସୂଚନା ଦେଇଛନ୍ତି। ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ସନ୍ଧ୍ୟା ୭ଟାରେ ନିଜ ଗାଁ ସିମଲ୍‌ପଡ଼ାକୁ ଅଣାଯାଇ କବର ଦିଆଯାଇଛି।

ସମ୍ବନ୍ଧିତ ଖବର