ମୃତ୍ୟୁ ଏମିତି ଆସେ : ଦୁର୍ଘଟଣାରେ ୪ ମୃତ, ପତି-ପତ୍ନୀ ଓ ପୁଅଙ୍କ ସମେତ ଚାଳକ ମୃତ

ବଞ୍ଚିଗଲା ଝିଅ ଆଦ୍ୟାଶା, ହଷ୍ଟେଲରେ ଛାଡ଼ି ଫେରୁଥିଲେ ବାପାମା’

ନୟାଗଡ଼/ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଓଡ଼ଗାଁ-ନୟାଗଡ଼ ୨୧ ନମ୍ବର ରାଜ୍ୟ ରାଜପଥ ନନ୍ଦିଘୋର ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ପତି, ପତ୍ନୀ, ପୁଅଙ୍କ ସମେତ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି, ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ନନ୍ଦିଘୋର ନେଳିଆସାହିର ଚିରଞ୍ଜୀବ ସାହୁ(୪୫), ତାଙ୍କ ପତ୍ନୀ ମଧୁସ୍ମିତା (୩୫), ପୁଅ ଆଦିତ୍ୟ (୧୧) ଓ କାର୍ ଚାଳକ ସନ୍ତୋଷ କୁମାର ନାୟକ (୩୫)।

ଚିରଞ୍ଜୀବ ଜଗନ୍ନାଥ ରାଇସ୍ ମିଲ୍‌ର ମାଲିକ ଥି‌ଲେ। ଘରେ ପହଞ୍ଚିବାକୁ ମାତ୍ର ଦୁଇ କିମି ବାଟ ବାକି ଥିଲା। ପ୍ରାୟ ୫ ମିନିଟ୍ ମଧ୍ୟରେ ସେମାନେ ଘରେ ପହଞ୍ଚିଥାନ୍ତେ। ହେଲେ ବଡ଼ପୁଟ ତୁଳସୀଢ଼ିପା ନିକଟରେ ଭାରସାମ୍ୟ ହରାଇ ହ୍ୟୁଣ୍ଡାଇ କାର୍ (ଓଡି୦୨ ଏଏନ୍‌ ୭୨୩୭)ର ଚାଳକ ରାସ୍ତା ପାର୍ଶ୍ବରେ ଥିବା ଏକ ଚାକୁଣ୍ଡା ଗଛକୁ ଧକ୍କା ଦେବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି। କାର୍ ଚାଳକଙ୍କୁ ନିଦ ଲାଗିଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ପୁଲିସର ପ୍ରାଥମିକ ରିପୋର୍ଟ କହୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଚିରଞ୍ଜୀବ ଓ ଦଶପଲ୍ଲାସ୍ଥିତ ତାଙ୍କ ସଡ଼ୁଙ୍କ ପରିବାର ନିଜ ହ୍ୟୁଣ୍ଡାଇ କାର୍ ଯୋଗ‌େ ଚିକିତ୍ସା ନିମନ୍ତେ କଟକ ଯାଇଥିଲେ। କିଛି ଦିନ ହେବ ତାଙ୍କ ସଡ଼ୁ ଦେବାଶିଷ ଅସୁସ୍ଥ ଥିଲେ। ଡାକ୍ତର ଦେଖାଇ କଟକରୁ ସେମାନେ ଦୁଇଟି କାର୍‌ରେ ଫେରୁଥିଲେ। ଦେବାଶିଷଙ୍କ କହିବାନୁଯାୟୀ, ନୟାଗଡ଼ ଟାଉନ୍‌ ନିକଟରେ ସେ ଓ ତାଙ୍କ ପରିବାର ଦଶପଲ୍ଲା ଅଭିମୁଖେ ଅନ୍ୟ ଏକ କାର୍ ଯୋଗେ ଯାଇଥିବା ବେଳେ, ଚିରଞ୍ଜୀବ ଓଡ଼ଗାଁ ଅଭିମୁଖେ ଯାଇଥିଲେ। ତେବେ ବାଟରେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୨ଟା ପରେ ଏହି ଦୁର୍ଘଟଣା ତୁଳସୀଢ଼ିପା ନିକଟରେ ଘଟିଥିବା ଅନୁମାନ କରାଯାଉଛି। ପ୍ରଚଣ୍ଡ ଶବ୍ଦ କରି କାର୍‌ଟି ଗଛରେ ପିଟି ହୋଇଥିଲା। ଯାହାର ଶବ୍ଦ ଶୁଣି ସ୍ଥାନୀୟ ‌ଲୋକେ ଉଠି ପଡ଼ିଥିଲେ ଏବଂ ଘଟଣାସ୍ଥଳରୁ ୪ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯିବା ସହ ପ୍ରଥମେ ଶରଣକୁଳ ପୁଲିସକୁ ଖବର ଦେଇଥିଲେ। ଶରଣକୁଳ ପୁଲିସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଚାରିଜଣଙ୍କୁ ଉଦ୍ଧାର କରି ପ୍ରଥମେ ଶରଣକୁଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥି‌ଲେ। ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଏହି ଚାରିଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ମୁଖ୍ୟ ଚିକିତ୍ସାଳୟ‌ରେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ଶେଷକୃତ୍ୟ ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି।

ବଞ୍ଚିଗଲା ଝିଅ ଆଦ୍ୟାଶା, ହଷ୍ଟେଲରେ ଛାଡ଼ି ଫେରୁଥିଲେ ବାପାମା’
ନୟାଗଡ଼ ସହରର ଏକ ଆବାସିକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଝିଅ ଆଦ୍ୟାଶା ପ୍ରିୟଦର୍ଶିନୀ ବି ପରିବାର ଲୋକଙ୍କ ସହ କାର୍‌ରେ କଟକ ଯାଇଥିଲେ। ସାନ ଭାଇ ଓ ମାଉସୀଙ୍କ ପରିବାର ସହ ମିଶି ବେଶ୍ ହସଖୁସିରେ ଫେରିଥିଲେ। ସେମାନେ ନୟ‌ାଗଡ଼ ଅତିକ୍ରମ କରି ଘରକୁ ଫେରୁଥିବା ବେ‌ଳେ, ପୁଣି ସକାଳେ କାହିଁକି ତତେ କଲେଜ ଛାଡ଼ିବାକୁ ଆସିବୁ କହି, ବାପା ଚିରଞ୍ଜୀବ ଓ ମା’ ମଧୁସ୍ମିତା ଆଦ୍ୟାଶାକୁ ହଷ୍ଟେଲରେ ଛାଡ଼ି ଫେରିଯାଇଥିଲେ। ଆଦ୍ୟଶାର ବାପା, ମା’ଙ୍କ ସହ ଘରକୁ ଯିବାକୁ ଇଚ୍ଛା ଥିଲେ ବି ବାପାଙ୍କ ତାଗିଦ୍‌ ପାଇଁ ସେ ହଷ୍ଟେଲ‌ରେ ରହିଯାଇଥିଲା। ଆଜି ସକାଳୁ ଦୁର୍ଘଟଣାରେ ବାପା-ମା’ ଓ ସାନଭାଇର ଏଭଳି ଆକସ୍ମିକ ବିୟୋଗ ଖବର ଶୁଣି ଆଦ୍ୟାଶା ଉପରେ ସତେ ‌ଯେମିତି ଆକାଶ ଛିଣ୍ଡି ପଡ଼ିଥିଲା। ପ୍ରଚଣ୍ଡ ମାନସିକ ଆଘାତ ପାଇଥିବା ଆଦ୍ୟାଶା ବାକ୍‌ରୁଦ୍ଧ ହୋଇଯାଇଥିଲା।

ସମ୍ବନ୍ଧିତ ଖବର