ସାପ କାମୁଡ଼ାରେ ୪ ମୃତ

ଚନ୍ଦାହାଣ୍ଡି/ପାପଡ଼ାହାଣ୍ଡି/ କୁଚିଣ୍ଡା : ସାପ କାମୁଡ଼ାରେ ଦିନକରେ ନବରଙ୍ଗପୁର ଜିଲ୍ଲାର ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ କୁଚିଣ୍ଡାରେ ଜଣେ ମହିଳା ଓ ଯାଜପୁରରେ ଜ‌େଣ ଯୁବକଙ୍କର ମୃତ୍ୟୁ ଘଟିଛି।

ଚନ୍ଦାହାଣ୍ଡି ବ୍ଲକ ଦଳବେଡ଼ା ଗ୍ରାମର ପରମେଶ୍ବର ମାଝୀ (୨୨) ଗତକାଲି ରାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବାରୁ ଚିତ୍କାର କରି ନିଦରୁ ଉଠି ପଡ଼ିଥିଲେ। ପାଖରେ ଶୋଇଥିବା ପତ୍ନୀ ଯଶୋଦା ମଧ୍ୟ ଉଠି ଦେଖିବା ବେଳକୁ ଗୋଟିଏ ସାପ ଘର ଭିତରେ ବୁଲୁଛି। ବିଳମ୍ବ ନକରି ସାପକୁ ପିଟି ପିଟି ମାରି ଦେଇଥିଲେ।ପତ୍ନୀ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ପତ୍ନୀ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ସେହିପରି ପାପଡାହାଣ୍ଡି ବ୍ଲକ୍‌ ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ରଘୁନାଥ ଭତରା ଗତକାଲି ରାତିରେ ଶୋଇଥିବା ବେଳେ ତାଙ୍କୁ ଗୋଟିଏ ବିଷଧର ସାପ କାମୁଡ଼ି ଦେଇଥିଲା। ଆଜି ସକାଳ ପ୍ରାୟ ୮ଟାରେ ପରିବାର ଲୋକ ତାଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଆବସ୍ଥାରେ ମୃତ୍ୟୁ ଘଟିଥିଲା।

ସେହିପରି କୁଚିଣ୍ଡା ଥାନା ସିରିଡ଼ ଗ୍ରାମର କୁନ୍ତି ନାଏକ(୩୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ୧୬ ତାରିଖ ରାତିରେ ସେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଚିକିତ୍ସା ପାଇଁ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତ ଡେରାବର ଗ୍ରାମରେ ସାପ କାମୁଡ଼ାରେ ଯୋଗେନ୍ଦ୍ର ମହାନ୍ତି (୩୬)ଙ୍କର ମୃତ୍ୟୁ ଘଟିଛି। ସେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର