ହରିପୁର/ଦୈତାରି: ଯାଜପୁର ଜିଲ୍ଲାର ବରୁଆଁ ଓ କେନ୍ଦୁଝର ଜିଲ୍ଲାର ଦୈତାରି ନିକଟରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଦୈତାରିରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ବରୁଆଁରେ ମା’-ପୁଅଙ୍କ ମୃତ୍ୟୁ ଘଟିଛି। ଯାଜପୁର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବରୁଆଁ ଛକ ନିକଟରେ ଗୁରୁବାର ଅପରାହ୍ଣରେ ଏକ ତେଲ ଟ୍ୟାଙ୍କର ଧକ୍କା ଦେବାରୁ ବାଇକ୍ରେ ଯାଉଥିବା ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି। ବୋହୂ ଗୁରୁତର ହୋଇଛନ୍ତି। ମୃତକଦ୍ବୟ ହେଲେ ମା’ ଭକ୍ତି ବେହେରା (୬୧) ଓ ପୁଅ ସୁଦର୍ଶନ ବେହେରା (୪୦)। ସୁଦର୍ଶନଙ୍କ ପତ୍ନୀ ପୂର୍ଣ୍ଣିମା (୩୨) ଗୁରୁତର ହୋଇଛନ୍ତି। ଯାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଏମାନଙ୍କ ଘର ଗୋଳେଇପୁର ପଞ୍ଚାୟତର ହାଟସାହି ଗ୍ରାମରେ। ସୁଦର୍ଶନ ତାଙ୍କ ମା’ ଓ ପତ୍ନୀଙ୍କୁ ବାଇକ୍ (ଓଆର୍ ୦୫ ଏବି ୧୮୧୦) ରେ ନେଇ ଯାଜପୁର ଡାକ୍ତରଖାନା ଯାଇଥିଲେ। ଚିକିତ୍ସା ପରେ ତିନିଜଣ ଯାଜପୁରରୁ କୁଆଖିଆ ଅଭିମୁଖେ ଆସୁଥିଲେ। ଦିନ ପ୍ରାୟ ୩.୩୦ ମିନିଟରେ ବରୁଆଁ ଶ୍ମଶାନ ପାଖ ଖଣ୍ଡିଆ ପୋଲ ନିକଟରେ ସମ୍ମୁଖରୁ ଆସୁଥିବା ତେଲ ଟ୍ୟାଙ୍କର (ଓଆର ୦୪ ପି ୯୭୭୭) ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ମା’ ଭକ୍ତିଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସଦର ଥାନା ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମୋଟର ଅଟକି ରହିଥିଲା। ପୁଲିସ ଗାଡ଼ି ଚଳାଚଳ ସ୍ବାଭାବିକ କରିବା ସହ ଏକ ମାମଲା ରୁଜୁ କରିଛି।
ସେହିପରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ରାସୋଳ ପଞ୍ଚାୟତ ବଳିପର୍ବତ-ବ୍ରାହ୍ମଣୀପାଳ ରାସ୍ତାର ତିନିପୋଲିଆ ଛକ ନିକଟରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକମାନେ ହେଲେ ହରିଚନ୍ଦନପୁର ବ୍ଲକ୍ ରାସୋଳ ପଞ୍ଚାୟତ ନୂଆସାହି ଗ୍ରାମର ସଞ୍ଜୟ ଶିରକା (୨୬) ଓ ଟାଙ୍ଗିରିଆପାଳ ପଞ୍ଚାୟତ ରୁଗୁଡ଼ିପଙ୍ଗା ଗ୍ରାମର ବୁଦ୍ଧୁରାମ ସିଙ୍କୁ (୨୫)। ଉଭୟ ଏକ ପଲସର ବାଇକ୍ (ଓଡି-୩୪-କ୍ୟୁ-୬୦୯୧)ରେ ନିଜ ଗ୍ରାମରୁ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାର୍ (ଓଡି-୦୨-କେ-୩୩୧୫) ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିଜୟ ଶିରକାଙ୍କ ମୃତ୍ୟୁ ଘଟିଥିଲା। କଟକ ବଡ଼ଡାକ୍ତରଖାନାରେ ବୁଦ୍ଧୁରାମଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଦୈତାରି ଥାନା ଏସ୍ଆଇ ସୁଶାନ୍ତ କୁମାର ବଳ ଓ ଏଏସ୍ଆଇ କେଶବ ଚନ୍ଦ୍ର ଗନ୍ଧା ପହଞ୍ଚି ତଦନ୍ତ କରିଥିଲେ। ଏନେଇ କାର୍ ଚାଳକଙ୍କ ବିରୋଧରେ ଦୈତାରି ଥାନାରେ କେସ୍ ନମ୍ୱର ୭୧/୨୩ରେ ମାମଲା ରୁଜୁ ହୋଇଛି।