ପାଚେରି ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟଣା, ସମସ୍ତେ କହୁଛନ୍ତି ଆମେ ନିର୍ଦୋଷ

ଢେଙ୍କାନାଳ : ସହରର ହାଟରୋଡ୍‌ସ୍ଥିତ ଅଳସୁଆ ହାଟରେ ଗତକାଲି ସକାଳେ ଏକ ପୁରୁଣା ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ ଜଣ ମୃତ୍ୟୁବରଣ କରିବା ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପୁଲିସ ଆଜି ଟାଉନ୍ ଥାନାରେ ଏକ ମାମଲା ରୁଜୁ କରିଛି। ପୌର ପ୍ରଶାସନ ପକ୍ଷରୁ ସଂପୃକ୍ତ ମିଲ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପାଚେରି କାନ୍ଥଟି ବିପଦସଂକୁଳ ଅବସ୍ଥାରେ ରହିଥିଲା ବେଳେ ସଂପୃକ୍ତ ମିଲ୍‌ ମାଲିକ ଏହାକୁ ସୁରକ୍ଷିତ ନ କରିବା କିମ୍ବା ଏ ସଂପର୍କରେ ସର୍ବସାଧାରଣଙ୍କୁ ସୂଚିତ ନକରିବା ଯେଭଳି ଏକ ଅପରାଧ, ଏହାର ତଦାରଖ ଦାୟିତ୍ବରେ ଥିବା ପୌର ପ୍ରଶାସନ ସେ ଦିଗରେ ନିରବଦ୍ରଷ୍ଟା ସାଜିବା ଆଉ ଏକ ଗୁରୁତର ଅପରାଧ ବୋଲି ସହରବାସୀ ଖୋଲାଖୋଲି ଆକ୍ଷେପ କରୁଛନ୍ତି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ବେଳେ ସେଠାରେ କାର୍ଯ୍ୟରତ ଏଏସ୍ଆଇ ରସାନନ୍ଦ ନାୟକ ଆଜି ଟାଉନ୍ ଥାନାରେ ଘଟଣା ନେଇ ଏକ ଲିଖିତ ଅଭିଯୋଗ ଦାଖଲ କରିିଛନ୍ତି। ଦୁର୍ଘଟଣା ପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଅନୁପମା ଜେମ୍ସ କହିଛନ୍ତି।

ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଛନ୍ତି ଯେ ପରିତ୍ୟକ୍ତ କାନ୍ଥଟି ହାଟ ପରିସର ବାହାରେ ରହିଥିଲା। ଛାଇ ଯୋଗୁଁ ବେପାରୀମାନେ ହାଟ ପରିସର ଛାଡି ରାସ୍ତାକଡରେ ଥିବା ଘରୋଇ ରାଇସ୍ ମିଲ୍‌ର ସଂପୃକ୍ତ ପରିତ୍ୟକ୍ତ ପାଚେରି କାନ୍ଥକଡରେ ବସି ବେପାର କରୁଥିଲେ। ସେହି ପାଚେରିଟି ଅସୁରିକ୍ଷତ ଥିବା ସଂପର୍କରେ କୌଣସି ଲିଖିତ କିମ୍ବା ମୌଖିକ ଅଭିଯୋଗ କେବେ ମିଳିନାହିଁ। ସଂପୃକ୍ତ ମିଲ୍‌ ମାଲିକଙ୍କ ସଂପର୍କରେ ଏବେସୁଦ୍ଧା କୌଣସି ସନ୍ଧାନ ମିଳିପାରିନାହିଁ। ଆର୍ଏମ୍‌ସି ମଧ୍ୟ ଏସଂପର୍କରେ ଅବଗତ ନଥିବାରୁ ଓଡିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନ୍ ସହ ଯୋଗାଯୋଗ କରାଯାଇଛି। ସଂପୃକ୍ତ ମିଲ୍‌ ମାଲିକଙ୍କ ସଂପୂର୍ଣ୍ଣ ବିବରଣୀ ମିଳିବା ପରେ ତାଙ୍କୁ ନୋଟିସ୍ ପଠାଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ।
୧୯୯୦ ମସିହାରେ ପୌରସଂସ୍ଥା ଅଳସୁଆ ହାଟ ପରିଚାଳନା ଭାର ଆର୍‌ଏମ୍‌ସିକୁ ହସ୍ତାନ୍ତର କରିଥିଲା। ଦୀର୍ଘ ୨୮ ବର୍ଷ ପରେ ଗତ ୧ ବର୍ଷ ହେବ ହାଟ ପୁନର୍ବାର ପୌରସଂସ୍ଥା ଅଧୀନକୁ ଆସିଛି। ହାଟ ପାଇଁ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେହି ଅନୁଯାୟୀ,ହାଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆର୍ଏମ୍‌ସିର ସଂପାଦକ ନିରଞ୍ଜନ ସେଠଙ୍କ କହିବାନୁଯାୟୀ ଅଳସୁଆ ହାଟରୁ ଭଲ ଆୟ ହେଉନଥିବାରୁ ଏହାର ଉନ୍ନତି କରାଯାଇପାରିନାହିଁ। ପ୍ରତ୍ୟେକ ବର୍ଷ ପୌରସଂସ୍ଥାକୁ ହାଟ ବାବଦରେ ବାର୍ଷିକ ୬୯ ହଜାର ଟଙ୍କା ଦିଆଯାଉଥିଲା। ପରିତ୍ୟକ୍ତ କାନ୍ଥ ପଡିବା ସଂପର୍କରେ ସେ କହିଛନ୍ତି, ସେହି କାନ୍ଥ ଏବଂ ମିଲ୍ ସ୍ଥାନଟି ହାଟର ପରିସରଭୁକ୍ତ ନଥିଲା। କାନ୍ଥକଡରେ ବସି ବେପାର ବଟା କରୁଥିଲେ ମଧ୍ୟ କାନ୍ଥର ସ୍ଥିତି ସଂପର୍କରେ ସେତେବେଳେ ମଧ୍ୟ କୌଣସି ଅଭିଯୋଗ ମିଳିନଥିଲା। ଦୀର୍ଘବର୍ଷ ଧରି ଅଳସୁଆ ହାଟ ଏବଂ ସହରର କୈବଲ୍ୟ ବଜାର ସ୍ଥିତ ପରିବା ମାର୍କେଟ୍‌କୁ ନେଇ ପୌରସଂସ୍ଥା ଏବଂ ଆର୍ଏମ୍‌ସି ମଧ୍ୟରେ ମତାନ୍ତର ସୃଷ୍ଟି ହୋଇ ନ୍ୟାୟାଳୟର ବିଚାରାଧୀନ ରହିଥିଲା। ଗତ ୨୦୧୬ ମସିହାରେ ନ୍ୟାୟାଳୟରେ ମାମଲାର ସମାଧାନ ହେବା ପରେ ପ୍ରଶାସନ ଏବଂ ଜିଲ୍ଲା କମିଟିର ନିଷ୍ପତ୍ତି ଅନୁଯାୟୀ ଗତ ୧୪ ମେ ୨୦୧୮ ମସିହାରେ ଅଳସୁଆ ହାଟକୁ ପୁନର୍ବାର ପୌରସଂସ୍ଥା ଅଧୀନକୁ ଫେରାଇ ଦିଆଯାଇଛି ଏବଂ ବକେୟା ରହିଥିବା ୭ ଲକ୍ଷ ୫୨ ହଜାର ଟଙ୍କା ମଧ୍ୟ ଆର୍ଏମ୍‌ସି ପକ୍ଷରୁ ପୌରସଂସ୍ଥାକୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର