ନଦୀ ନେଉଛି ମୁଣ୍ଡ : ୪ ମୃତଦେହ ଉଦ୍ଧାର, ଜଣେ ନିଖୋଜ

ଧାମନଗର/ବିଂଝାରପୁର : ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ, କୋଚିଳା ଓ ସାଳନ୍ଦୀ ଏବଂ ଯାଜପୁର ଜିଲ୍ଲାର ଖରସ୍ରୋତାରେ ଭାସିଯାଇ ୫ ଜଣ ପ୍ରାଣ ହରାଇଛନ୍ତି। ଖରସ୍ରୋତାରେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ, କୋଚିଳା ନଦୀରେ ଘଟିଥିବା ଦୁର୍ଘଟଣା‌େର ୨ ଜଣ ଯୁବକ,ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଗତ ୨୫ ତାରିଖ ସନ୍ଧ୍ୟାରେ ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଞ୍ଚାୟତ କୁଟୁରିଆ ମୌଜାର ଆଠଘରିଆ ଗ୍ରାମର ଚନ୍ଦ୍ରକାନ୍ତ ରାଉତଙ୍କ ବିବାହିତ ପୁଅ ସନ୍ତୋଷ କୋଚିଳା ନଦୀକୁ ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ସେହିପରି ସେହିଦିନ ସନ୍ଧ୍ୟାରେ ଆଠଘରିଆ ନିକଟସ୍ଥ ରାମରାକୂଳ ଗ୍ରାମର ଅନିରୁଦ୍ଧ ସାହୁଙ୍କ ଝିଅ ସସ୍ମିତା ମଧ୍ୟ କୋଚିଳା ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଉଭ‌େୟ ସେହିଦିନଠାରୁ ନିଖୋଜ ଥିଲେ। ଆଜି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଭୟଙ୍କ ଶବକୁ ନଦୀରୁ ଉଦ୍ଧାର କରିଛି। ସନ୍ତୋଷଙ୍କ ଶବ କୋଚିଳା ନଦୀର ନାୟିକାଣୀ ନିକଟରୁ ଓ ସସ୍ମିତାଙ୍କ ଶବ ବୈତରଣୀ ନଦୀର ଦୋହରାପାଟଣା ନିକଟରୁ ଉଦ୍ଧାର ହୋଇଛି।

ସେହିପରି ଭଦ୍ରକର ସାଳନ୍ଦୀ ନଦୀର ଧନାତୋଲା ଘାଟରୁ ଜଣେ ଅଚିହ୍ନା ଯୁବକର ଶବ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ, ଆଜି ଆଉ ୪ଜଣ ଛାତ୍ର ଖରସ୍ରୋତା ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ତେବେ, ୨ ଛାତ୍ର ଅଳ୍କକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବି˚ଝାରପୁର ଥାନା ଅରେଇସ୍ଥିତ ବରୁଣେଶ୍ବର ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ର ଓ ଜଣେ ଯାଜପୁର ଜିଲ୍ଲା ସ୍କୁଲର ଛାତ୍ର ଗୁରୁବାର ମଧୢାହ୍ନରେ ବାଙ୍କିପାଳ ସ୍ଥିତ ନିଜ ସାଙ୍ଗ ଘରକୁ ଭୋଜି ଖାଇବାକୁ ଆସିଥିଲେ। ସୋମନାଥ ବାରିକ(୧୫), ସ୍ମୃତିରଞ୍ଜନ ସ୍ବାଇଁ(୧୫), ମନୋଜ ବାରିକ(୧୪) ଓ ପରେଶ ରାଉତ (୧୪) ପ୍ରମୁଖ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀର ପ୍ରଖର ସ୍ରୋତରେ ୪ଜଣ ଯାକ ଭାସି ଯାଇଥିଲେ। ଛାତ୍ରମାନେ ଭାସି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ରବି ବେହେରା, ମହେନ୍ଦ୍ର ବେହେରା ଓ ଚିନ୍ତାମଣୀ ବେହେରା ପ୍ରମୁଖ ନଦୀକୁ ଡେଇଁ ପରେଶ ରାଉତ ଓ ମନୋଜ ବାରିକଙ୍କୁ କୌଣସି ମତେ ଉଦ୍ଧାର କରିଥିଲେ ା ହେଲେ ସୋମନାଥ ଓ ସ୍ମୃତିରଞ୍ଜନ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଏହାପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ନଦୀରୁ ସ୍ମୃତିରଂଜନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ବେଳେ ସୋମନାଥଙ୍କର କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର