ପାଣିରେ ବୁଡ଼ି ୪ଜଣଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ/ବାସୁଦେବପୁର : ଗାଧୋଇବା ବେଳେ ଆଜି ପାଣିରେ ବୁଡ଼ି ୪ ଜଣ ପ୍ରାଣ ହରାଇଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ବାସୁଦେବପୁର ବ୍ଲକରେ ଘଟିଛି। ଭଣ୍ଡାରିପୋଖରୀ ଅନ୍ତର୍ଗତ ନେରଡା ଗ୍ରାମର ୩ ଜଣ ଯୁବକ ବୈତରଣୀରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଡାଙ୍ଗମାଳ ଗ୍ରାମର ଜଣେ ଛାତ୍ରୀ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଏ ଦୁଃଖଦ ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।

ସୂଚନା ମୁତାବକ ନେରଡା ଗାଁ ବୋଇତାଇସାହିର କେଦାର ନାଥ ବୋଇତାଇଙ୍କ ପୁଅ ଜଗତଜୀବନ ବୋଇତାଇ (୧୮), ରମେଶ ବଳଙ୍କ ପୁଅ କୁନା ଓରଫ ପ୍ରଦୀପ ବଳ (୨୨) ଓ ରାଜେନ୍ଦ୍ର ବୋଇତାଇଙ୍କ ପୁଅ ଦୀପ୍ତିରଞ୍ଜନ ବୋଇତାଇ(୨୧) ଅନ୍ୟ ଦୁଇଜଣଙ୍କ ସହ ମଧ୍ୟାହ୍ନରେ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁଇ ଜଣ କୂଳରେ ରହିଥିବା ବେଳେ ଜଗତଜୀବନ, ପ୍ରଦୀପ, ଦୀପ୍ତିରଞ୍ଜନ ନଦୀର ମା’ ସୁନାମୁହିଁ ଘାଟରେ ପଶିଥିଲେ। ହଠାତ୍‌ ଗୋଡ଼ ଖସିଯିବାରୁ ତିନିହେଁ ବୁଡିଯାଇଥିଲେ। ଏହା ଦେଖି କୂଳରେ ଥିବା ସାଥି ଯୁବକମାନେ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରି ନ ପାଇବାରୁ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା। ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ଜଗତଜୀବନ ଓ ପ୍ରଦୀପଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭଣ୍ଡାରିପୋଖରୀ ଥାନାରେ ୮/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ଦିଆଯାଇଥିଲା। ଏପଟେ ଦୀପ୍ତିରଞ୍ଜନଙ୍କୁ ପରିବାର ଲୋକେ ଯାଜପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ଏନେଇ ଯାଜପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ହୋଇଛି। ଦୀପ୍ତିରଞ୍ଜନ ଯାଜପୁରରୋଡ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ଓ ଜଗତଜୀବନ ପାଣିକୋଇଲି ମା’ ତାରିଣୀ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାର ଛାତ୍ରଥିଲେ। ସେମିତି ମୃତ ପ୍ରଦୀପ ଗାଡିଚାଳକ ଥିଲେ ବୋଲି ଜଣାଯାଇଛି।

ସେହିପରି ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତର ଡାଙ୍ଗମାଳ ଗ୍ରାମର ପଞ୍ଚାନନ ବେହେରାଙ୍କ ଝିଅ ଗୀତାଞ୍ଜଳି, ଭଗବାନ ବେହେରାଙ୍କ ଝିଅ ଅନିତା, ସୁବାସ ବେହେରାଙ୍କ ଝିଅ ରୁପାଲି ସ୍କୁଲରୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହାତ ଧରାଧରି ହୋଇ ପୋଖରୀରେ ଗାଧୋଉଥିବା ବେଳେ ଗୀତାଞ୍ଜଳିର ଗୋଡ ଖସିଯାଇଥିଲା। ରୁପାଲି ଓ ଅନିତା ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲେ। ଫଳରେ ସେମାନଙ୍କ ଆଖି ସାମ୍ନାରେ ଗୀତାଞ୍ଜଳି ପୋଖରୀରେ ବୁଡିଯାଇଥିଲେ। ରୂପାଲି ଓ ଅନୀତା ପାଣିରେ ଉବୁଟୁବୁ ହେଉଥିବା ବେଳେ ଚିତ୍କାର କରି ଡାକ ପକାଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ଗୀତାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ। ଅନୀତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରା ଯାଇଛି। ଚିକିତ୍ସା ପରେ ରୂପାଲି ସୁସ୍ଥ ହୋଇଛନ୍ତି। ତିନିଜଣ ଯାକ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ।

ସମ୍ବନ୍ଧିତ ଖବର